ମିଳିତ କୃଷକ ମଞ୍ଚ ପକ୍ଷରୁ ୨୬ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଧାରଣାରତ ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିବା ଲାଗି ନୂଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ଆସନ୍ତା ମାର୍ଚ୍ଚ ୨୬ରେ କୃଷକଙ୍କ ଆନ୍ଦୋଳନକୁ ଚାରି ମାସ ପୂରଣ ହେବାକୁ ଯାଉଛି। ଏଥିପାଇଁ ମିଳିତ କୃଷକ ମଞ୍ଚ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥର ବନ୍ଦ ଦିନ ସାରା ପାଳନ କରାଯିବ। କୌଣସି ଗୋଟିଏ ବି ବାହନ ଯେପରି ରାସ୍ତାକୁ ନ ଆସିବ ସେଥିପାଇଁ ଯୋଜନା ହୋଇଛି। ଅନ୍ୟପଟେ ଆନ୍ଦୋଳନରେ ଯୁବପିଢ଼ିଙ୍କୁ ପୁଣି ଥରେ ଯୋଡିବାକୁ ଉଦ୍ୟମ କରାଯିବ ବୋଲି ମଞ୍ଚ ପକ୍ଷରୁ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାର ଏବଂ ସରକାରଙ୍କ ସହିତ ସମ୍ପୃକ୍ତ ଲୋକମାନେ ବାରମ୍ବାର ପ୍ରଚାର କରୁଛନ୍ତି ଯେ କୃଷକ ଆନ୍ଦୋଳନ କମ୍‌ଜୋର ପଡ଼ିଗଲାଣି ଏବଂ ବର୍ତ୍ତମାନ କୃଷକମାନେ ଆନ୍ଦୋଳନକୁ ଆସୁନାହାନ୍ତି। ଏଭଳି ଲୋକଙ୍କୁ ଜବାବ ଦେବା ଲାଗି କୃଷକ ଆନ୍ଦୋଳନ ଏବେ ବି ଜୀବିତ ରହିଛି। ସେଥିପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। ସେହିପରି ଏହି ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ଚଳିତଥର ରାସ୍ତାରେ ଗୋଟିଏ ବି ବାହନ ଚଳାଚଳ କରିବ ନାହିଁ। ଏପରି କି କୃଷକମାନଙ୍କ ଟ୍ରାକ୍ଟର ବି ଚାଲିବ ନାହିଁ।

ଏହା ପୂର୍ବରୁ କୃଷକ ସଂଗଠନ ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ଶୋଭାଯାତ୍ରା କରିଥିଲ। ଏହି ରାଲିରେ ରାଜଧାନୀରେ ହିଂସାକାଣ୍ଡ ହୋଇଥିଲା। କିଷାନ ୟୁନିୟନର ନେତା ରାକେଶ ଟିକାୟତ ଆଗାମୀ ମାର୍ଚ୍ଚ ୧୬ରେ କୋଲକାତା ଯିବାକୁ ଘୋଷଣା କରିଛନ୍ତି। ଏହି ଗସ୍ତରେ ସେ ପଶ୍ଚିମବଙ୍ଗ କୃଷକଙ୍କ ସହ ଆଲୋଚନା କରି ବିଜେପିକୁ ପରାଜିତ କରିବାକୁ ଆହ୍ଵାନ କରିବେ। କିନ୍ତୁ ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବେ ନାହିଁ। ସୂଚନା ଯେ, କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଗତ କିଛି ମାସରେ ୧୦ରୁ ଅଧିକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ହେଲେ ଉଭୟ ପକ୍ଷ ମଧ୍ୟରେ ଅଦ୍ୟାବଧି କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। କୃଷକ ସଂଗଠନ ନିଜର ଆନ୍ଦୋଳନକୁ ଆହୁରି ଶାଣିତ କରିବା ପାଇଁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

Spread the love