ରାଜ୍ୟରେ ଆଉ ୧୩ ଦିନ ବଢ଼ିଲା ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିଲା ଲକଡାଉନ୍ । ଓଡିଶାରେ କରୋନା ସଂକ୍ରମଣ ବଢୁଥିବା ବେଳେ ଲକଡାଉନର ଅବଧିକୁ ମଧ୍ୟ ଜୁନ ୧ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ ବାର୍ତ୍ତାରେ ଘୋଷଣା କରିଛନ୍ତି ।

ପୂର୍ବ ଭଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି ରହିବ। ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି। ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି। ଫଳରେ ଲୋକଙ୍କୁ ପନିପରିବା ଓ ତେଜରାତି ସାମଗ୍ରୀ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ। ଅପରପକ୍ଷରେ ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିବ। ବାହାଘରରେ ଭୋଜିଭାତକୁ ବାରଣ କରାଯାଇଛି।

ସୂଚନା ଯେ, କରୋନା ସଂକ୍ରମଣ ବଢୁଥିବାରୁ ସରକାର ମେ ୫ରୁ ମେ ୧୯ ତାରିଖ ସକାଳ ଯାଏଁ ଲକଡାଉନ୍ ଲାଗୁ କରିଥିଲେ । ସଂକ୍ରମଣ ଚେନ୍‌ରେ ବ୍ରେକ ଦେବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ଏହି ସମୟରେ କଡାକଡି ଚେକିଂ ହୋଇଥିଲା । ଦୋକାନ, ବଜାର, ସପିଂ ମଲ ଆଦି ବନ୍ଦ ରହିଥିଲା । କେବଳ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା । ତେବେ କଟକଣାରୁ ଜରୁରୀକାଳିନ ସେବା ଓ ସେବା ଯୋଗାଉଥିବା କର୍ମଚାରୀଙ୍କୁ ବାଦ୍ ଦିଆଯାଇଥିଲା । ଏବେ କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ । କିନ୍ତୁ ଏହା ସତ୍ତ୍ୱେ ସଂକ୍ରମଣ କମୁନଥିବା ନଜର ଆସିଛି । ଏବେବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ସାମ୍ନାକୁ ଆସୁଛି । ଆହୁରି ମଧ୍ୟ ଅମାନିଆ ଚେତୁନାହାଁନ୍ତି । ଏସବୁକୁ ନଜରରେ ରଖି ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ଆଉ ୧୩ ଦିନ ବଡିଛି ଲକଡାଉନ୍ । ଏହାକୁ ଜୁନ ୧ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି ।

Spread the love