ରାଜ୍ୟରେ କରୋନା ନେଲା ଆଉ ୨୬ ଜୀବନ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ଏବେ ଉପରମୁହାଁ । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଶନିବାର ଗତ ୨୪ ଘଂଟା ମଧ୍ୟରେ ୧୧ହଜାର ୧୦୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬ଜଣ ଥିବାବେଳେ କଳାହାଣ୍ଡି ଜିଲାରୁ ୪ଜଣ ରହିଛନ୍ତି । ଗଞ୍ଜାମ ଓ ପୁରୀ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୬,୭୯,୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୬୭,୩୮୨ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୯ହଜାର ୬୩୯ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୨୪୫୬ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

Spread the love