ବିଧାନସଭାରେ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଖର୍ଚ୍ଚ ଦାବି ଆଲୋଚନା ସ୍ୱାଭାବିକ

  • ଯୋଗାଣ ମନ୍ତ୍ରୀଙ୍କ ବିବୃତିରେ ବିରୋଧୀଙ୍କ କ୍ଷୋଭ

  • ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମନ୍ତ୍ରୀଙ୍କ ଉତରରେ ନାହିଁ : ପ୍ରଦୀପ୍ତ ନାଏକ

  • ମନ୍ତ୍ରୀ ପୂର୍ବ କଥା ଦୋହରାଇଛନ୍ତି : ନରସିଂହ ମିଶ୍ର

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଧାନ କିଣାକୁ ନେଇ ଦୀର୍ଘ ୬ ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଶୁକ୍ରବାର ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଖର୍ଚ୍ଚ ଦାବି ଆଲୋଚନା ସ୍ୱାଭାବିକ ହୋଇଛି । ଶୂନ୍ୟକାଳରେ ଧାନ କିଣା ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବିବୃତି ରଖିଥିଲେ । ତେବେ ବିବୃତିରେ ସର୍ବ ଦଳୀୟ କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଉପରେ କୌଣସି ଉତର ରଖିନଥିବାରୁ ବିରୋଧୀ ଦଳ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ବିଗତ ଦିନ ମାନଙ୍କ ଭଳି ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ଫଳରେ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନଥିଲା । ମନ୍ତ୍ରୀଙ୍କ ଉତରରେ ଉଭୟ କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କ୍ଷୋଭ ପ୍ରକାଶ କରି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଗତକାଲି ହୋଇଥିବା ଆଲୋଚନା କାଳରେ ସେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ମନ୍ତ୍ରୀଙ୍କ ବିବୃତିରେ ଉଲ୍ଲେଖ ନାହିଁ । ତାକୁ ଆମେ ନିନ୍ଦା କରୁଛୁ । କଂଗ୍ରେସ ଦଳ ନେତା ବିଜେଡି- ବିଜେପି ଭାଇ-ଭାଇ ବୋଲି ଆମ ବିରୁଦ୍ଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଠିକ୍ ନୁହେଁ । ବରଂ କଂଗ୍ରେସ ଶାସକ ଦଳର ଗୋଡାଣିଆ ହୋଇଛି ବୋଲି ସେ କହିଛନ୍ତି ।

ଅପରପକ୍ଷରେ କଂଗ୍ରେସ ଦଳର ସଦସ୍ୟମାନେ ମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହର ମଧ୍ୟଭାଗରେ ଧାରଣା ଦେଇ ବସିଥିଲେ । କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଯେଉଁ ମୂଳ ସମସ୍ୟାକୁ ନେଇ ୬ ଦିନ ଗୃହ ଅଚଳ ହୋଇଥିଲା ତାହା ମନ୍ତ୍ରୀଙ୍କ ବିବୃତିରେ ପ୍ରତିଫଳିତ ହୋଇନାହିଁ । ପୂର୍ବରୁ ଯାହା କହିଥିଲେ ତାହା ଦୋହରାଇଛନ୍ତି । ଏହି ପବିତ୍ର ଗୃହକୁ ଧୋକା ଦିଆଯାଇଛି । ବିଜେପି ସଦସ୍ୟମାନଙ୍କ ସହିତ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଧାନ କିଣିବା ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ସର୍ବଦଳୀୟ କମିଟି ବୈଠକକୁ ଆସିବେ ବୋଲି କହିଥିଲେ କିନ୍ତୁ ଆସିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆଳରେ ବିଜେପି ସଦସ୍ୟମାନେ ତାଙ୍କ ଘରକୁ ଶୋଭାଯାତ୍ରା କରିଯାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ । କନ୍ୟାପିତା ଯେଉଁଭଳି ବିବାହରେ ବରଯାତ୍ରୀଙ୍କୁ ସ୍ୱାଗତ କରନ୍ତି ସେମାନଙ୍କ ୁ ସେହିଭଳି ଫୁଲ ,ଅତର ଦେଇ ସ୍ୱାଗତ କରାଯାଇଥିଲା । ଏତେ ସବୁ କାର୍ଯ୍ୟ ହେଲା । କିନ୍ତୁ ଫଳ ଶୂନ । ମୁଖ୍ୟମନ୍ତ୍ରୀଙ୍କ ଘରୁ ଫେରିବା ପରେ ବିଜେପି ସଦସ୍ୟମାନେ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ପାର୍ଥକ୍ୟ ରହିଥିଲା । କାଲି ଯାହା ସେମାନେ କଲେ ତାହା ନାଟକ ଥିଲା । ପ୍ରହସନ ଥିଲା । ବର୍ତମାନ ମୋ ଜିଲ୍ଲାରେ ଥିବା ପ୍ୟାକ୍ସକୁ ଫୋନ୍ କରିଥିଲେ କିନ୍ତୁ ସେମାନଙ୍କ ପାଖକୁ ଟୋକନ ଆସିନଥିବା କହିଛନ୍ତି । ନକଲି ଚାଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇନାହିଁ । ଏଥିରେ ହସ୍ତକ୍ଷେପ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଗତକାଲି ମୁଖ୍ୟମନ୍ତ୍ରୀ ଓ ବିଜେପି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ସୌହାଦ୍ଦ୍ୟପୁର୍ଣ୍ଣ ଥିଲା । ଧାନ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବେ ବୋଲି ମୋର ମନେ ହେଉନାହିଁ । ସେକହିଥିଲେ ଯେ ସେ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବ ଦଳୀୟ କମିଟି ବୈଠକ ଡାକିବି । ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ଦଳ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ । ଏଥିରୁ ନିବୃତ ରହିବା ପାଇଁ ବାଚସ୍ପତି ସେମାନଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ସର୍ବଦଳୀୟ ଡାକିଥିଲେ ବାଚସ୍ପତି । ମାତ୍ର କଂଗ୍ରେସ ସଭ୍ୟମାନେ ବୈଠକକୁ ଯାଇନଥିଲେ ।

ପୁନର୍ବାର ଗୃହକୁ ଆସି ବାଚସ୍ପତି ସେମାନଙ୍କୁ ଯୋଗ ଦେବାକୁ ଅନୁରୋଧ କରିଥିଲେ । ସେମାନେ ଜିଦ୍ ରେ ଅଟଳ ରହିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ ଟା ୪୫ ରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଅପରାହ୍ନ ୪ଟା ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ପରେ ପୂର୍ବାହ୍ନରେ ଯୋଗାଣ ମନ୍ତ୍ରୀଙ୍କ ଦେଇଥିବା ବିବୃତିକୁ ନେଇ କଂଗ୍ରେସ ଦଳ ସଭ୍ୟମାନେ ହୋ ହାଲ୍ଲା କରିଥିଲେ । ନରସିଂହ ମିଶ୍ର କହିଥିଲେ ଯେ ଗୃହ ଠିକ୍ ଭାବେ ଚାଲୁ ବୋଲି ଆମେ ଚାହୁଁ । କିନ୍ତୁ ଆମେ ଯେଉଁ ସବୁ ପ୍ରଶ୍ନ ଉଠାଇଥିଲୁ ତାର ଉତର ମିଳିଲା ନାହିଁ । କାଲିର ଘଟଣାକୁ ନେଇ ଶ୍ରୀ ପୁଣି ଥରେ ମନ୍ତବ୍ୟ ଦେଇଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ କଂଗ୍ରେସ ଯେଉଁଭଳି ଭାବେ ସମାଲୋଚନା କରାଯାଉଛି ତାହା ଠିକ୍ ନୁହେଁ । ତାହା ଉପରେ ଅଧିକ ମନ୍ତବ୍ୟ ରଖିବାକୁ ଚାହୁଁଥିବା ବେଳେ ବାଚସ୍ପତି ତାଙ୍କୁ ସୁଯୋଗ ଦେଇନଥିଲେ । ଏହାର ପ୍ରତିବାଦରେ ଶ୍ରୀ ନାଏକ କହିଥିଲେ ଯେ କଂଗ୍ରେସ ଦଳ ନେତାଙ୍କୁ କହିବାକୁ ଅଧିକ ସମୟ ଦିଆଯାଉଥିବା ବେଳେ ତାଙ୍କୁ କମ୍ ସମୟ ଦିଆଯାଇଛି । କଂଗ୍ରେସ ଦଳନେତାଙ୍କୁ ପ୍ରତିଉତର ଦେବାକୁ ତାଙ୍କୁ ସୁଯୋଗ ଦିଆଗଲା ନାହିଁ । ବାଚସ୍ପତି ଆମକୁ ସୁରକ୍ଷା ଦେବା କଥା । ଯଦି ସୁଯୋଗ ଦେବେ ନାହିଁ ଆମେ କାହିଁକି ଆସିବୁ? ତେବେ ଆମେ ଚୁପ୍ ହୋଇ ବସି ରହୁଛୁ ଆପଣ ଗୃହ ଚଲାନ୍ତୁ । ଆମେ କଣ ଆପଣଙ୍କ ବିରୁଦ୍ଧରେ ମହାଅଭିଯୋଗ ଆଣିବୁ ।ଆମ ପ୍ରତି ପ୍ରତାରଣା କରାଯାଉଛି ବୋଲି କହିଥିଲେ ।ଏହାପରେ ବିଜେପି ସଦସ୍ୟରେ କଳା ପଟି ବାନ୍ଧି ଗୃହର ମଧ୍ୟ ଭାଗରେ ଧାରଣା ଦେଇଥିଲେ । ବାଚସ୍ପତି କହିଥିଲେ ଯେ ଉଦ୍ଦେଶ୍ୟମୂଳକ ଭାବେ ସେ ଏପରି କରିନାହାନ୍ତି । ଆପଣାମାନେ ଗୃହ କାର୍ଯ୍ୟରେ ଯୋଗ ଦିଅନ୍ତୁ । ବାଚସ୍ପତି ଗୃହର କାର୍ଯ୍ୟରେ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ ଏବଂ ସର୍ବ ଦଳୀୟ ବୈଠକ ଡାକିଥିଲେ । ଏଥିପାଇଁ ଅପରାହ୍ନ ୪ ଟା ୭ରୁ ୪ଟା ୨୭ ଯାଏଁ ଗୃହ ମୁଲତବୀ ହୋଇଥିଲା । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଥିଲେ ଯେ ଲୋକଙ୍କ ପାଇଁ ଏହି ପବିତ୍ର ଗୃହ କାମ କରୁଛି । ଗତ ୬ ଦିନ ଧରି ଗୃହ ଚାଲିପାରି ନାହିଁ । ଗୃହ ଯେପରି ସୁଚାରୁ ରୂପେ ଚାଲିବ ସେଥିପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ । ବାଚସ୍ପତି ପୁଣି ଥରେ ୪ଟା ୩୧ରୁ ୪ଟା ୫୧ ଓ ୪ଟା ୫୧ରୁ ୪ଟା ୫୬ ଓ ୪ଟା ୫୬ରୁ ୫ଟା ୬ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହର କାର୍ଯ୍ୟ ଆରମ୍ଭ ହେବାପରେ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା ।

Spread the love