ଲକ୍‌ଡାଉନ୍‌ ଥିବାରୁ ମିଳିଲାନି ମଦ, ସାନିଟାଇଜର ପିଇ ୭ ଶ୍ରମିକ ମୃତ

ମୁମ୍ବାଇ : ସାନିଟାଇଜର ପିଇ ୭ ଜଣଙ୍କର ମୃତ୍ୟୁ । ମହାରାଷ୍ଟ୍ରର ୟାବାତମାଲର ଓ୍ବାନୀରେ ସାନିଟାଇଜର ପିଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଶ୍ରମିକମାନେ ମଦ ପିଇବା ପାଇଁ ଖୋଜିଥିଲେ । କିନ୍ତୁ ଦୋକାନ ବନ୍ଦ ଥିବାରୁ ମଦ ମିଳିନଥିଲା । ତେବେ ମଦ ନମିଳିବାରୁ ସେମାନେ ଅମାନିଆ ହୋଇ ସାନିଟାଇଜର ପିଇଥିଲେ । ଯାହାଫଳରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ସାନିଟାଇଜର ପିଇବା ପରେ ଶ୍ରମିକମାନେ ଅସୁସ୍ଥ ହୋଇପଡିଥିଲେ । ପେଟରେ ଭୀଷଣ ଯନ୍ତ୍ରଣା ଏବଂ ବାନ୍ତି ହେବା ଯୋଗୁଁ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଓ୍ବାନୀ ପୋଲିସର ତଦନ୍ତକାରୀ ଅଧିକାରୀ ଡି. ବି. ଭାଡିକର କହିଛନ୍ତି ଯେ, ମଦ ଦୋକାନଗୁଡିକ ବନ୍ଦ ଥିବାରୁ ଶ୍ରମିକମାନେ ସାନିଟାଇଜର ପିଇଦେଇଥିଲେ । ପରେ ସେମା‌ନେ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଶବ ବ୍ୟବଚ୍ଛେଦ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love