ଖସିଲା ପାରଦ, ତାତିରୁ ମିଳିଲା ତ୍ରାହି

ଭୁବନେଶ୍ୱର : ରାଜ୍ୟର ଗତ ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଫଳରେ ଜନସାଧାରଣଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟର କୌଣସି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି । ସେହିପରି ଷୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ରାଜ୍ୟର ରାୟଗଡ଼ା, କୋରାପୁଟ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲାରେ ସୋମବାର ସ୍ୱଳ୍ପରୁ ମଧ୍ୟମ ଧରଣରର ବର୍ଷାରେ ହେବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅନ୍ୟ ଜିଲ୍ଲାଗୁଡିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଏବେ କିଛି ଦିନ ରାଜ୍ୟରେ ତାପମାତ୍ରା ବିଶେଷ ବଢ଼ିବନି । ୬ ତାରିଖ ପରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୧୨ ପରେ ତାତି ବଢ଼ିବ । ସେହିପରି ୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ତା’ର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି।ସୂଚନା ଯେ, ରବିବାର ସକାଳ ୮ଟା ୩୦ ସୁଦ୍ଧା ଫୁଲବାଣୀରେ ୧୬ ମିଲିମିଟର ବର୍ଷା ହୋଇଥିବା ବେଳେ ବୌଦ୍ଧ ଓ କୋରାପୁଟରେ ୧୫ ମିଲିମିଟର୍‌, ପାରଳାଖେମୁଣ୍ଡିରେ ୭ ମିଲିମିଟର, ଭବାନୀପାଟଣାରେ ୩ ମିଲିମିଟର, ରାୟଗଡ଼ାରେ ୧ ମିଲିମିଟର ଓ କେନ୍ଦୁଝରରେ ସାମାନ୍ୟ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି । ତେବେ ସନ୍ଧ୍ୟା ସମୟରେ ମଧ୍ୟ ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବାର ଜଣାପଡିଛି ।

Spread the love