‘ଭଞ୍ଜସେନା’ ଦ୍ୱାରା ୯ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ବାରିପଦା: ଆଜି ୯ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ । ଭଞ୍ଜସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ବନ୍ଦ ଡାକରା ଦେଇଛି ଭଞ୍ଜସେନା । ତେବେ ବୁଧବାର ସକାଳ ୬ଟାରୁ ଦୋକାନ ବଜାର ବନ୍ଦ ରହିବ । ଏହି ବନ୍ଦରୁ ସମସ୍ତ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆଯାଇଛି ।

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁ ଲିଭାଇବା ଏବଂ ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ଆଜି ଜିଲ୍ଲାର ଅଗ୍ରଣୀ ସଙ୍ଗଠନ ‘ଭଞ୍ଜସେନା’ ପକ୍ଷରୁ ୯ଘଣ୍ଟିଆ ଆରମ୍ଭ ହୋଇଛି। ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନାଙ୍କ ଠାରୁ ପ୍ରକାଶ। ଆଜିର ଏହି ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଗାଡ଼ିମଟର ଚଳାଚଳ ବନ୍ଦ ରହିବା ସହ ଜାତୀୟ ରାଜପଥର ଉଭୟ ଦିଗରେ ଅନେକ ଟ୍ରକ୍‌ ଅଟକି ରହିଛି। ବନ୍ଦଯୋଗୁଁ ଜନସାଧାରଣଙ୍କର ସ୍ୱାଭାବିକ ଜୀବନଯାପନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସୂଚନା ଯେ, ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ମଙ୍ଗଳବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ଗୋଟି ବିଟ୍ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ୍ ରିପୋର୍ଟରୁ ସୂଚନା ମିଳିଛି । ସେଥି ମଧ୍ୟରୁ ବରେହିପାଣି ରେଞ୍ଜରେ ୩ଟି ବିଟ୍, ଗୁଡୁଗୁଡ଼ିଆ ରେଞ୍ଜରେ ୩ଟି, ତାଲବନ୍ଧ ରେଞ୍ଜରେ ୨ଟି, କେନ୍ଦୁମୁଣ୍ଡି ରେଞ୍ଜରେ ୨ଟି, ଚହଲା ଓ ନଅଣା ରେଞ୍ଜରେ ଗୋଟିଏ ଲେଖାଏଁ ବିଟ୍ ଅଞ୍ଚଳରେ ସମୁଦାୟ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଶିମିଳିପାଳରେ ଲାଗିଥିବା ନିଆଁ ଲିଭାଇବା ପାଇଁ ବନ ବିଭାଗ ସହ ଅଗ୍ନିଶମ ବିଭାଗର ୪ଟି ଟିମ୍ ଜଙ୍ଗଲ ଭିତରକୁ ପ୍ରବେଶ କରିଛି । ମଙ୍ଗଳବାର ବାଲେଶ୍ୱରରୁ ଗୋଟିଏ ୨୬ ଜଣିଆ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷରେ ଏହି ବନ୍ଦ ୧୨ ଘଣ୍ଟା ଧରି ଚାଲିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, କିନ୍ତୁ ଆସନ୍ତାକାଲି ମହାଶିବରାତ୍ରୀ ପଡୁଥିବାରୁ ବନ୍ଦ ସମୟ ଅବଧି ୯ ଘଣ୍ଟାକୁ ହ୍ରାସ କରାଯାଇଛି। ଏହି ବନ୍ଦକୁ ‘କଂଗ୍ରେସ’, ‘ସିପିଏମ୍‌’ ଓ ‘ସିଟୁ’ ମଧ୍ୟ ସମର୍ଥନ କରୁଛି। ଏଥିସହ ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନା କହିଛନ୍ତି ଯେ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ପ୍ରଥମ ପର୍ଯ୍ୟାୟରେ ୨୦୦୦ରୁ ଊର୍ଦ୍ଧ୍ୱ ଯୁବଛାତ୍ର ଶିମିଳିପାଳ ଅରଣ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିବେ।

 

Spread the love