ମହାପ୍ରଭୁଙ୍କ ଚକ୍ର ଏମିତି ବୁଲିଲା ଯେ, ବାବାଙ୍କୁ ପ୍ରଶାସନ ପାସ୍‌ ଯୋଗାଇ ଦେଲା

ପୁରୀ : ଆଶା ପୂରଣ ହେଲା । ମହାପ୍ରଭୁଙ୍କ ଚକ୍ର ଏମିତି ବୁଲିଲା ଯେ, ବାବାଙ୍କୁ ପ୍ରଶାସନ ପାସ୍‌ ଯୋଗାଇ ଦେଲା । ବାବା ୧୨ ଫୁଟିଆ ଅଗରବତି ରଥ ଆଗରେ ଜାଳିପାରିଲେ । ଭକ୍ତଶୂନ୍ୟ ରଥଯାତ୍ରା ଭିତରେ ଗଣମାଧ୍ୟମର ଆକର୍ଷଣ ସାଜିଥିଲେ ଏହି ବାବା । ବାବାଙ୍କ ନାମ ଭୈରାବନନ୍ଦ ସରସ୍ୱତୀ । ମୟୂରଭଞ୍ଜ ମହାଭୈରବକୁଣ୍ଡ ସାତକୋଶିଆ ଆଶ୍ରମର ଏହି ବାବା ପ୍ରାୟ ୧୨ ଫୁଟର ଏକ ବଡ଼ ଅଗର ବତି ସହ ୪ ଫୁଟିଆ ୫ଟି ଛୋଟ ଅଗରବତି ନେଇ ଆସିଥିଲେ ।

୧୯୯୬ ମସିହାରୁ ପ୍ରତିବର୍ଷ ଆଶ୍ରମ ପକ୍ଷରୁ ଅଗରବତି ନେଇ ସମର୍ପଣ ନିମନ୍ତେ ଆସିଥାନ୍ତି । ୨୦୧୪ ମସିହା ପର୍ଯ୍ୟନ୍ତ ୫ ଫୁଟର ଅଗରବତି ଆଣି ସମର୍ପଣ କରୁଥିଲେ । ୨୦୧୫ ମସିହା ନବକଳେବରରେ ୮ ଫୁଟର, ୨୦୧୬ ମସିହାରେ ୧୨ ଫୁଟର, ୨୦୧୭ ଓ ୨୦୧୮ ମସିହାରେ ୧୫ ଫୁଟର ଅଗରବତି ସମର୍ପଣ ହୋଇଥିଲା । ହେଲେ ଗତବର୍ଷ ଭଳି କରୋନା କଟକଣା ଭିତରେ କିପରି ଅଗରବତି ଜାଳିବେ ତାହାକୁ ନେଇ ଚିନ୍ତାରେ ପଡ଼ିଥିଲେ । ଗତବର୍ଷ ବହୁକଷ୍ଟରେ ପାସ୍‌ ମିଳିବା ପରେ ଅଗରବତି ଜାଳିଥିଲେ । ଚଳିତବର୍ଷ ମଧ୍ୟ ଶେଷ ମୁହୂର୍ତ୍ତରେ ଅଗରବତି ଜାଳିବା ନିମନ୍ତେ ଅନୁମତି ସହ ପ୍ରଶାସନ ପାସ୍‌ ଯୋଗାଇ ଦେଇଥିଲା । ଏସବୁ କେବଳ ଶ୍ରୀଜଗନ୍ନାଥଙ୍କ ଲୀଲା କହିଲେ ଅତ୍ୟୁକ୍ତି ହେବନି ବୋଲି ବାବା ଭୈରବାନନ୍ଦ କହିଛନ୍ତି ।

Spread the love