ଅସ୍ଥାୟୀ ମଣ୍ଡପରେ ଅବସ୍ଥାନ କଲେ ମା’ ବୁଢ଼ୀ ଠାକୁରାଣୀ

  • ସକାଳ ୫ଟାରୁ ପୂର୍ବାହ୍ନ ୧୦ଟା ଓ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ସାତ ଦିନିଆ ଯାତ୍ରା ଆରମ୍ଭ ହୋଇଛି । ଶୁକ୍ରବାର ରାତି ୧ଟା ବେଳେ ସ୍ଥାୟୀ ମନ୍ଦିରରୁ ନିମନ୍ତ୍ରିତ ହୋଇ ପିତାଙ୍କ ଘରକୁ ଆସିଛନ୍ତି ମା ବୁଢ଼ୀ ଠାକୁରାଣୀ । ଠାକୁରାଣୀଙ୍କ ତଥାକଥିତ ପିତା ଦେଶୀ ବେହେରା (ପି. ଦୂର୍ଗାପ୍ରସାଦ) ଏବଂ ତାଙ୍କ ପତ୍ନୀ ମା ଦେବକୀ ଏକ ପଟୁଆରରେ ମାଙ୍କ ସ୍ଥାୟୀ ମନ୍ଦିରକୁ ଯାଇ ରାତି ସାଢ଼େ ୧୧ଟା ସମୟରେ ନିମନ୍ତ୍ରଣ କରିଥିଲେ । ଠାକୁରାଣୀଙ୍କ ମଥାରୁ ଇଟମଳା ମାଳ ଖସିବା ପରେ ମାତା ଦେବକୀ ଫୁଲ ଚାଙ୍ଗୁଡ଼ାରେ ଠାକୁରାଣୀଙ୍କ ଆଜ୍ଞାମାଳକୁ ତାଙ୍କ ଘରକୁ ଆଣି ନିକଟସ୍ଥ ଅସ୍ଥାୟୀ ମଣ୍ଡପରେ ଅବସ୍ଥାପିତ କରିଛନ୍ତି । ଏହି ଆଜ୍ଞାମାଳ ମାଟି ଘଟରେ ସ୍ଥାପନ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଛି ।

ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଲାଗି ମାତ୍ର ସପ୍ତାହ ପାଇଁ ଆୟୋଜନ ନେଇ ନିର୍ଦ୍ଦେଶ ରହିଛି । ପରସ୍ଥିତିକୁ ଦୃଷ୍ଟିରେ ଆବଶ୍ୟକ ପଡିଲେ ଏହି ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ପ୍ରଶାସନ ପକ୍ଷର ସୂଚନା ମିଳିଛି । ଶ୍ରଦ୍ଧାଳୁ ମାନେ ସମ ଦୂରତା ଓ କୋଭିଡ଼୍ ନିୟମ ମାନି ଧାଡ଼ିରେ ଯାଇ କେବଳ ଠାକୁରାଣୀଙ୍କ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁ ମାନେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କିମ୍ବା ଭୋଗ ଲାଗି କରିପାରିବେ ନାହିଁ । ସକାଳ ୫ଟା ଠାରୁ ପୂର୍ବାହ୍ନ ୧୦ଟା ଯାଏଁ ଏବଂ ଅପରାହ୍ନ ୪ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ବ୍ୟାରିକେଡରେ ଯାଇ ମାଙ୍କ ଦର୍ଶନ କରିପାରିବେ । ତେବେ ଦେବୀଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିପାରିବେ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି ।

Spread the love