ମା ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା

  • ସ୍ଥାନୀୟ ଶ୍ରଦ୍ଧାଳୁଙ୍କୁ ବାଦ୍ ଦେଲେ ଅନ୍ୟ ମାନଙ୍କୁ ଦର୍ଶନ ମନା, ମୁଣ୍ଡନ ସମ୍ପୂର୍ଣ୍ଣ ବନ୍ଦ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ମାଙ୍କ ଯାତ୍ରାରେ ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରିଚାଲିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ତାରାତାରିଣୀ ପାହାଡ଼ ପାଦ ଦେଶରେ ମୁଣ୍ଡନକୁ ବନ୍ଦ କରାଯାଇଥିବା ବେଳେ ଏଥର ପୁରୁଷୋତମପୁର ବ୍ଲକ୍ ଓ ଏନଏସି ବାସିନ୍ଦାଙ୍କୁ କେବଳ ଦର୍ଶନ ଅନୁମତି ମିଳିଛି । ବାହାରୁ ଆସୁଥିବା ଭକ୍ତ ଓ ମାନସିକଧାରୀଙ୍କ ପାଇଁ ମାଙ୍କ ଦର୍ଶନ ବନ୍ଦ ରଖିଛି ପ୍ରଶାସନ । ପ୍ରତ୍ୟେକ ବର୍ଷ ତୃତୀୟ ପାଳି ଯାତ୍ରାରେ ସବୁଠୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ଏଡାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ସମାଗମ କମ୍ ରହିଛି । ସ୍ଥାନୀୟ ଅଂଚଳବାସୀ ମା ତାରାତାରିଣୀଙ୍କ ଦର୍ଶନ ପାଇଁ ମନ୍ଦିର ଯିବା ବେଳେ ସାଙ୍ଗରେ ପରିଚୟ ପତ୍ର ନେବା, ମୁହଁରେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହ ୬୦ ବର୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଦର୍ଶନ ପାଇଁ ଯିବାକୁ ବାରଣ କରାଯାଇଛି । ଆଜିର ଏହି ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବଭଳି ଏଥର ତାରାତାରିଣୀ ପାହାଡ଼ ଉପରକୁ ଥିବା ପାଦଚଲା ରାସ୍ତାକୁ ବନ୍ଦ କରାଯାଇଛି । ପ୍ରଶାସନ ପକ୍ଷରୁ ନିୟୋଜିତ ବସ୍ ଓ ରୋପ୍ ୱେ ଜରିଆରେ ଶ୍ରଦ୍ଧାଳୁ ମାନେ ପାହଡ଼ ଶିଖରକୁ ଯାଇ ମାଙ୍କ ଦର୍ଶନ କରିପାରିବେ । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ୨ଟା ଠାରୁ କଂଟ୍ରୋଲ୍ ରୁମ୍ ଖୋଲାଯାଇଛି । ପ୍ରଶାସନ ପକ୍ଷରୁ ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଗତ ଥର ଲୋକମାନେ କଟକଣା ନମାନି ଏଣେତେଣେ ବସି ମୁଣ୍ଡନ କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ରୋକିବା ଲାଗି ଏଥର ପୋଲିସ ଫୋର୍ସ ସହ ଦୁଇଟି ଟିମ୍ ଗଠନ କରାଯାଇଛି । ସୁରକ୍ଷା ଦାୟୀତ୍ୱରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି ।

Spread the love