ଜୁନ୍ ୧୭ ଯାଏଁ ବଢିଲା ଲକଡାଉନ୍

  • ୩ ଜିଲ୍ଲାପାଇଁ କଟକଣା କୋହଳ

  • ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ଦୋକାନ

  • ସଂକ୍ରମଣ କମିଲେ କଟକଣା କୋହଳ ହେବ

ଭୁବନେଶ୍ୱର : ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକ୍‌ଡାଉନ୍ ବଢ଼ାଇଛନ୍ତି ସରକାର । ମହାମାରୀ କରୋନା ପାଇଁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଲକ୍ ଡାଉନ୍ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତର ରହିବ । ଏଥିସହ ସପ୍ତାହାନ୍ତ ସଟ୍ ଡାଉନ ମଧ୍ୟ ଜାରି ରହିବ । ତେବେ ଏହି ସମୟରେ ସ୍ୱାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଅପରପକ୍ଷରେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକ୍ ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ । ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ । କିନ୍ତୁ ସେଲୁନ, ସ୍ପା ଓ ମଲ୍ ବନ୍ଦ ରହିବ । ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ । ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପୂର୍ବରୁ ବିବାହ ଆଦି ସାମାଜିକ କାର୍ଯ୍ୟକ୍ରମରେ ଯେଉଁଭଳି ଅତିଥି ସଂଖ୍ୟା ଓ ଭୋଜି ଆୟୋଜନ ଉପରେ କଟକଣା ଥିଲା ତାହା ଜାରି ରହିବ । ପୂର୍ବଭଳି ମାଲ୍ ପରିବହନ , କୃଷି ସମ୍ବନ୍ଧୀୟ କାର୍ଯ୍ୟ , ଶିଳ୍ପ ସଂସ୍ଥା ,ବ୍ୟାଙ୍କିଂ ବ୍ୟବସ୍ଥା ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଗୁଡିକ କଟକଣାମୁକ୍ତ ରହିବ ।

ସେ ଆହୁରି କହିଛନ୍ତି ଯେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କିଛି ଜିଲ୍ଲାରେ ପଜିଟିଭ୍ ହାର ଅଧିକ ରହିଛି । ଲକ୍ ଡାଉନ୍ ର ସୁଫଳ ମିଳିଛି । ସମୟରେ ପଦକ୍ଷେପ ନିଆଯାଇଥିବାରୁ ଅନ୍ୟ ରାଜ୍ୟ ଭଳି ଓଡିଶାରେ ହସ୍ପିଟାଲ ବେଡ୍ ଓ ଅକ୍ସିଜେନ୍ ଅଭାବ ଭଳି ସମସ୍ୟା ସୃଷ୍ଟି ହୋଇନାହିଁ । ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି ।ଗତ ୨୫ ଦିନ ମଧ୍ୟରେ ପରୀକ୍ଷା ଓ ପଜିଟିଭ ଅନୁପାତ ଶତକଡ଼ା ୨୫ରୁ ୧୫କୁ ହ୍ରାସ ପାଇଛି । ପଶ୍ଚିମାଂଚଳର କେତେକ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ଖୋର୍ଦ୍ଧା, କଟକ ଓ ଅନୁଗୋଳ ଆଦି ଉପକୂଳ ଜିଲ୍ଲାମାନଙ୍କରେ ସଂକ୍ରମଣ ହ୍ରାସର ହାର କମ୍ ରହିଛି । ଏବେ ରାଜ୍ୟରେ ମୋଟାମୋଟି କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍ ପରୀକ୍ଷା, ଚିକିତ୍ସା, ହସ୍‌ପିଟାଲରେ ଶଯ୍ୟା ଓ ଅମ୍ଳଜାନ ଆଦି ଯୋଗାଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଦୈନିକ କୋଭିଡ୍ ପରୀକ୍ଷାକୁ ୪୫ ହଜାରରୁ ୭୦ ହଜାରକୁ ବୃଦ୍ଧି କରାଯାଇଛି । ଅଧିକ ପରୀକ୍ଷା କରାଯାଉଥିଲେ ସୁଦ୍ଧା ପଜିଟିଭ ହାର ବଢ଼ିନାହିଁ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କିଛି ଲୋକଙ୍କ ଅବହେଳା ଯୋଗୁଁ ଅନ୍ୟାନ୍ୟ ଅନେକ ଲୋକ ବିପଦଗ୍ରସ୍ତ ହେଉଛନ୍ତି । କୋଭିଡ୍ ମହାମାରୀ ଚଳନ୍ତି ଶତାବ୍ଦୀର ବଡ଼ ବିପର୍ଯ୍ୟୟ । ଏହାର ଭୟାବହତାକୁ ଉପଲବ୍ଧି କରି କୋଭିଡ୍ ନିୟମର ପୂର୍ଣ୍ଣ ପାଳନ କରିବା ସହ ଜନସାଧାରଣ ନିଜର ସହଯୋଗ ବଜାୟ ରଖିବାକୁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ । ଉଲ୍ଲେଖ୍ୟଯୋଗ୍ୟ ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ ୫ରୁ ୧୯ ଯାଏଁ ଲକ୍ ଡାଉନ୍ ଘୋଷଣା ହୋଇଥିଲା । ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ଆଜି ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

Spread the love