ରାଜ୍ୟରେ ଲକଡାଉନ୍ ୩.୦ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନ୍ ବଳବତ୍ତର ରଖାଯାଇଛି । ମଙ୍ଗଳବାର ସକାଳେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ କଟକଣା ପୂର୍ବପରି ସମାନ ରହିଛି । ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଜାରି ରହିବ । ତେବେ ରାଜ୍ୟର ତିନୋଟି ଜିଲା ପାଇଁ ଲକଡାଉନ୍ କଟକଣାରେ ସାମାନ୍ୟ କୋହଳ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି। ଏଠାରେ ଦୋକାନବଜାର ସୋମବାରରୁ ଶୁକ୍ରବାର ଯାଏ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲିପାରିବ।

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନ୍ ୩.୦ । ମଙ୍ଗଳବାର ସକାଳେ ଦ୍ଵିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଛି । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ । ତେବେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ୍ରେ ଥିବା ସବୁ କଟକଣା ତୃତୀୟ ପର୍ଯ୍ୟାୟରେ ବଳବତ୍ତର ରହିଛି । କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଜାରି ରହିବ। ସାବିତ୍ରୀ ଓ ରଜ ପାଇଁ ବଜାର ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟର ତିନୋଟି ଜିଲ୍ଲା ପାଇଁ ଲକ୍ ଡାଉନ୍ କଟକଣାରେ କିଛିଟା କୋହଳ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି। ଏଠାରେ ଦୋକାନବଜାର ସୋମବାରରୁ ଶୁକ୍ରବାର ଯାଏ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଖୋଲିପାରିବ। ତେବେ ମଲ୍ , ମାର୍କେଟ୍ କମ୍ପ୍ଲେକ୍ସ, ସାପ୍ତାହିକ ହାଟ, ସେଲୁନ୍, ସ୍ପା ଓ ବିଉଟି ପାର୍ଲର୍ ଖୋଲିପାରିବ ନାହିଁ। ଏଠାରେ ସପ୍ତାହନ୍ତ ସଟ୍ ଡାଉନ୍ ଜାରି ରହିବ। ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଯଦି ଏଠାରେ ସଂକ୍ରମଣ ପୁଣି ବଢ଼ିବା ପରିଲକ୍ଷିତ ହୁଏ, ତେବେ ଏହି କୋହଳ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି। ରବିବାର ସନ୍ଧ୍ୟାରେ ଲକ୍ ଡାଉନ୍ ଅବଧି ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ୧୧ଟା ଯାଏ ଖୋଲା ରହିବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। କେବଳ ଗୋଟିକିଆ ଦୋକାନକୁ ପୂର୍ବ ପରି ଅନୁମତି ମିଳିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ। ସେହିପରି ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍ ଡେଲିଭରି’ ଉପରେ କୌଣସି କଟକଣା କରାଯାଇ ନାହିଁ। ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ। ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍ ଦିଆଯାଇପାରିବ। ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍ ସେବା ଆଦି ପୂର୍ବ ପରି ଚାଲୁ ରହିବ।

Spread the love