ଆଇସିସି ଦିନିକିଆ ରାଙ୍କିଙ୍ଗ ପ୍ରକାଶିତ : କୋହଲି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପକ୍ଷରୁ ଦିନିକିଆ ରାଙ୍କିଙ୍ଗ ପ୍ରକାଶିତ । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଥିବା ବେଳେ ଦ୍ରୁତ ବୋଲର ଜସପ୍ରିତ ବୁମରା ଗୋଟିଏ ସ୍ଥାନ ଖସି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। କୋହଲି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଏବଂ ଦ୍ଵିତୀୟ ଦିନିକିଆରେ ୫୬ ଏବଂ ୬୬ ରନ୍‌ କରିଥିଲେ। ବିରାଟ କୋହଲି ୮୭୦ ଅଙ୍କ ସହ ପୁଣି ଥରେ ଶୀର୍ଷର ରହିଛନ୍ତି । ରାଙ୍କିଙ୍ଗରେ ରନ୍‌ ମେସିନ୍‌ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ସେ ପାକିସ୍ତାନର ବାବର ଆଜମଙ୍କ ପଛକୁ ଥିବା ବେଳେ ଲୋକେଶ ରାହୁଲ ୩୧ ତମ ସ୍ଥାନରୁ ୨୭ ତମ ସ୍ଥାନକୁ ଉଠିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୩୫ ଏବଂ ୬୪ ରନ୍‌ର ପାଳି ଖେଳି ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୪୨ ତମ ସ୍ଥାନ ଅକ୍ତିଆର କରିଛନ୍ତି। ଏହା ସହ ଋଷଭ ପନ୍ତ ଶୀର୍ଷ ଶହେରେ ଏଣ୍ଟ୍ରି ମାରିଛନ୍ତି।

ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ୪୨ ରନ୍‌ ଦେଇ ୩ ଉଇକେଟ ନେଇଥିବା ଭୁବନେଶ୍ୱର କୁମାର ୯ ଟି ସ୍ଥାନ ଉଠି ୧୧ ତମ ସ୍ଥାନ ଅକ୍ତିଆର କରିଛନ୍ତି । ସେପଟେ ଶର୍ଦୁଳ ଠାକରୁ ଏହି ମ୍ୟାଚ୍‌ରେ ୬୭ ରନ୍‌ ଦେଇ ୪ ଉଇକେଟ ଅକ୍ତିଆର କରିଥିବା ବେଳେ ତାଙ୍କୁ ଭଲ ରାଙ୍କିଙ୍ଗ ମଳିଛି। ୯୩ ତମ ସ୍ଥାନରୁ ଉଠି ୮୦ ତମ ସ୍ଥାନକୁ ଉଠିଛନ୍ତି ଶାର୍ଦ୍ଦୁଳ। ସେହିଭଳି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୨୪ ତମ ସ୍ଥାନରେ ପହଞ୍ଚିଥିବା ବେଳେ ସେ ଦ୍ବିତୀୟ ଦିନିକିଆରେ ୫୨ ବଲରୁ ୯୯ ରନ୍‌ ଲଗାଇ ଅଲରାଉଣ୍ଡର ରାଙ୍କିଙ୍ଗରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଜନି ବେୟରଷ୍ଟୋ ୭୯୬ ରେଟିଂ ସହ ସପ୍ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ମୋଇନ ଅଲ୍ଲି ବୋଲିଂ ରାଙ୍କିଙ୍ଗରେ ୪୬ ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ଟି-୨୦ ଅନ୍ତରାଷ୍ଟ୍ରୀୟ ତାଜା ରାଙ୍କିଙ୍ଗ ଅନୁସାରେ ସୂଚୀରେ ରାହୁଲ ଏବଂ କୋହଲିଙ୍କୁ ଗୋଟିଏ ଲେଖାଏଁ ସ୍ଥାନ ହରାଇ ଯଥାକ୍ରମେ ପଞ୍ଚମ ଏବଂ ଷଷ୍ଠ ସ୍ଥାନକୁ ଖସିଆସିଛନ୍ତି। କୌଣସି ଭାରତୀୟ ବୋଲର କିମ୍ବା ଅଲରାଉଣ୍ଡର ଟପ୍‌ ୧୦ ସୂଚୀରେ ସ୍ଥାନ ପାଇନାହାନ୍ତି। ଟେଷ୍ଟ ରାଙ୍କିଙ୍ଗରେସ୍ପିନର ରବିଚନ୍ଦ୍ରନ ଅଶ୍ଵିନ୍‌ ପ୍ୟାଟ କୋମିନ୍ସଙ୍କ ପରେ ଦ୍ଵିତୀୟ ସ୍ଥାନରେ କାଏମ ରହିଛନ୍ତି । ଅଲରାଉଣ୍ଡର ଲିଷ୍ଟରେ ଜାଡେଜା ତୃତୀୟ ଏବଂ ଅଶ୍ଵିନ୍‌ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି ।

Spread the love