ଆରଆଇଏନଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କଲେ କିଶୋର ଚନ୍ଦ୍ର ଦାସ

ନୂଆଦିଲ୍ଲୀ : ଜୁନ ୧, ୨୦୨୧ରେ ଶ୍ରୀ କିଶୋର ଚନ୍ଦ୍ର ଦାସ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲମିଟେଡ (ଆରଆଇଏନଏଲ) ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ସେ ଆରଆଇଏନଏଲର କାର୍ମିକ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରି ଆସୁଛନ୍ତି । ସେ ଏହି ପଦବୀରେ ୨୦୧୭ ଜାନୁଆରୀ ପହିଲାରେ ଯୋଗ ଦେଇଥିଲେ । ଏହାବ୍ୟତୀତ ଶ୍ରୀ ଦାସ ଆରଆଇଏନଏଲର ସହଯୋଗୀ ସଂସ୍ଥା ଓଏମଡିସି ଓ ବିଏସଏଲସିର ବୋର୍ଡରେ ସଦସ୍ୟ ଅଛନ୍ତି । ଦୁର୍ବଳ ସ୍ଥିତିରେ ଥିବା ବିଏସଏଲସିର ପୁନରୁଦ୍ଧାର ଏବଂ ଓଏମଡିସିକୁ ଖଣିଜ କାର୍ଯ୍ୟରେ ନିୟୋଜିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ।

ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ମାଜାଗାଓଁ ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ପଦବୀରେ ପାଂଚବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିସାରିଛନ୍ତି । ତା’ପୂର୍ବରୁ ଶ୍ରୀ ଦାସ ୧୫ ବର୍ଷରୁ ଅଧିକ ସମୟ ଧରି ଗେଲ୍ ଏବଂ ଏହାର ଯୌଥ ଉଦ୍ୟୋଗଗୁଡ଼ିକର ମାନବ ସମ୍ବଳ ବିଭାଗର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଶ୍ରୀ ଦାସଙ୍କର ୩୩ ବର୍ଷରୁ ଅଧିକ ସମୟର ଦୃଢ଼ ଅଭିଜ୍ଞତା ରହିଛି ଏବଂ ସେ ନିଜର କାର୍ଯ୍ୟ ଦକ୍ଷତା ସାବ୍ୟସ୍ତ କରିଛନ୍ତି । ପେସାଦାର କ୍ୟାରିଅରରେ ମୁଖ୍ୟତଃ ଉଦ୍ୟୋଗିକ ବ୍ୟାପାର, ମାନବ ସମ୍ବଳ ବିକାଶ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି । ନିଜର ଦୀର୍ଘକାଳୀନ ସେବା ସମୟରେ, ସେ ମାନବ ସମ୍ବଳ ବିକାଶର ସମସ୍ତ ଦିଗରେ ସେ ନେତୃତ୍ୱ ନେବା ସହିତ ସ୍ଥିର ସୁଧାର ଆଣିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ପେସାଦାର ଆଭିମୁଖ୍ୟ, କଠିନ ପରିଶ୍ରମ, ଦକ୍ଷତା, ପ୍ରତିବଦ୍ଧତା, ନିଷ୍ଠା ଓ ଦୂରଦୃଷ୍ଟି ଆରଆଇଏନଏଲ ପରିବାରକୁ ଶୀର୍ଷକୁ ନେବାରେ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।

Spread the love