ଖୁବ୍ ଶୀଘ୍ର ତିନି ରଥର ୧୨ଟି ଦୁଆର ଘଡା ଉଠିବ

ପୁରୀ: ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଠିଆ ହେଲାଣି ଶ୍ରୀବିଗ୍ରହଙ୍କ ତିନି ରଥ । ତିନି ରଥରେ ପାରାଭାଡି ଉଠାଇ ଖପୁରି ସ୍ଥାପନ କରିଛନ୍ତି ନିର୍ମାଣକାରୀ। ଖପୁରି ଉପରେ କଳସ ଡାଙ୍ଗିଆ ପୋତା ହୋଇଛି । ଏପଟେ ରଥଖଳାରେ କଳସରେ ଦସ୍ତା ଚାଦର ବୁଲୁଛି । ଚିତ୍ରକର ରଙ୍ଗ କରିବା ପରେ ରଥରେ ସ୍ଥାପନ ହେବ କଳସ । ଦୁଆରଘଡ଼ା କାମ ଜାରି ରହିଛି ।

ପୂର୍ବରୁ ରଥରେ ବଡ଼ ପୋଟଳ ଉଠାଯାଇ କଇଁଚି ବାଡ଼ିଆ ସରିଥିଲା । ସୋମବାର ଦିନ ତିନି ରଥରେ ପାରାଭାଡି ଉଠାଗଲା । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ପୋଟଳପଟାରେ ଦଉଡି ବାନ୍ଧି ରଥ ଉପରକୁ ଉଠାଇଥିଲେ । ପ୍ରଥମ ପୋଟଳ ଉପରେ ଦ୍ୱିତୀୟ , ତୃତୀୟ, ଚତୁର୍ଥ ଓ ପଞ୍ଚମ ପରସ୍ତ ପୋଟଳ ରଖାଗଲା । ଏହା ଉପରେ ପାରାଭାଡି ଉଠିଲା । ୬ଷ୍ଠ ଓ ସପ୍ତମ ପରସ୍ତ ପୋଟଳକୁ ଯୋଡ଼ାଯାଇ ପାରାଭାଡି ପ୍ରସ୍ତୁତ କରାଯାଇଥିଲା । ମଝିରେ ପଟା ଦିଆଯାଇ ସଂଯୁକ୍ତ କରିବା ପରେ ଚତୁଃପାଶ୍ୱର୍ରେ ଚିତ୍ରକରମାନେ ପାରା ଚିତ୍ର କରିଥିଲେ । ପରେ ଚାରି ଖଣ୍ଡ କରି ଏହାକୁ ରଥ ଉପରକୁ ଟେକା ଯାଇ ଯୋଡାଯାଇଥିଲା । ଭୋଇ ସେବକମାନେ ଏହାକୁ ନେଇ ରଥ ଉପରେ ସ୍ଥାପନ କରିସାରିବା ପରେ ଆଉ ୫ ପରସ୍ତ ପୋଟଳ ଉଠାଇଥିଲେ। ଶେଷରେ ଖପୁରି ସ୍ଥାପନ ହୋଇଥିଲା।

ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶରେ ରଥ କାମ ଆଗେଇ ଚାଲିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ରଥ କାର୍ଯ୍ୟରେ ନିୟୋଜିତ ଥିଲେ। ତାଗବାଡ଼ିଆ ପରେ ପଟା ପଡ଼ିଛି । ଜଗତପୃଷ୍ଠ ଶେଣୀ ରଥରେ ସ୍ଥାପନ ହେବା ପାଇଁ ମଝି ପଟା ପିଟାଯାଇନି। ବିଶ୍ୱକର୍ମାମାନେ ରଥର ଦୁଆରଘଡ଼ା କାମ ଚାଲିଛିି । ସେଥିରେ ଚିତ୍ରକରମାନେ ରଙ୍ଗ ଦେବେ । ଖୁବ୍‌ ଶୀଘ୍ର ତିନି ରଥରେ ୧୨ଟି ଦୁଆର ଘଡା ଉଠିବ। ମହାପ୍ରଭୁଙ୍କ ସିଂହାସନ କାମ ହେବ । ରଥରେ ରଙ୍ଗ କାର୍ଯ୍ୟ ଚାଲିଛି। ରଥତ୍ରୟର ଦଣ୍ଡାରେ ଫିଟିଂ ହୋଇଥିବା ପଟାଗୁଜରେ ରୂପକାରମାନେ ସିଂହବିରାଳ, ଗଜବିରାଳ, ନରବିରାଳ ଆଦି ଖୋଦେଇ କରୁଛନ୍ତି। ରଥ ଚକ, ଦଣ୍ଡା ଶଖୀ ଆଦିରେ ରଙ୍ଗ ଦିଆଯାଉଛି। ଦର୍ଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ କନାମଣ୍ଡଣୀ କାମ ଜାରି ରଖିଛନ୍ତି । ଓଝା ସେବକମାନେ ଅସ୍ଥାୟୀ ଶାଳରେ କଣ୍ଟା ପ୍ରସ୍ତୁତ କରୁଛନ୍ତି ।

Spread the love