ଖୋଲା ଚାଲିଛି ପୁରୁଣା କାଠ: ବେହରଣ ଦ୍ୱାରରେ ରୁପା ଚାଦର ଆବରଣ ଦେବାର କାମ ଆରମ୍ଭ ହୋଇଛି |

ପୁରୀ: ଶ୍ରୀମନ୍ଦିର ରୁପା ଦ୍ୱାର ନିର୍ମାଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅନୁମତି ଦେଇଛି । ଅନୁମତି ମିଳିବା ପରେ ପ୍ରଥମ ଦଫାରେ ବେହରଣ ଦ୍ୱାରରେ ରୁପା ଚାଦର ଆବରଣ ଦେବାର କାମ ଆରମ୍ଭ ହୋଇଛି । ଏଥିସହ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର, ସାତ ପାହାଚ ଦ୍ୱାର, ଭୋଗମଣ୍ଡପ ପଶ୍ଚିମ ଦ୍ୱାର ରୁପା ଚାଦର ବିଛାଇବା କାମ ପାଇଁ ରାସ୍ତା ଉନ୍ମୁକ୍ତ ହୋଇଛି । ବେହରଣ ଦ୍ୱାରରେ କାରୁକାର୍ଯ୍ୟ ପୂର୍ଣ୍ଣ ରୁପା ଚାଦର ପଡିବ । ସୋମବାର ବିଳମ୍ବିତ ରାତିରେ ବେହରାଣ ଦ୍ୱାରର କାଠ ଫ୍ରେମ, ଷ୍ଟିଲଫ୍ରେମ, ଦୁଆର ବନ୍ଧର ଷ୍ଟିଲ କବ୍‌ଜା, ରୁପା ଚାଦରକୁ ଶ୍ରୀମନ୍ଦିର ନିଆ ଯାଇଥିଲା ।

ରୁପା ଦ୍ୱାରଗୁଡିକ କଳିଙ୍ଗ ମନ୍ଦିର ଶୈଳୀରେ ଡିଜାଇନ ହୋଇଛି । ଏହି ସବୁ ଡିଜାଇନକୁ ରୁପା ଦ୍ୱାର ତଦାରଖ କମିଟି ଓ ବୈଷୟିକ କମିଟି ଅନୁମୋଦନ ଦେଇ ସାରିଛି । ଇତିମଧ୍ୟରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର, ବେହେରଣ ଦ୍ୱାର, ସାତ ପାହାଚ ଦ୍ୱାର, ଭୋଗ ମଣ୍ଡପ ପଶ୍ଚିମ ଦ୍ୱାର, ନୃସିଂହ ମନ୍ଦିର ଗର୍ଭଗୃହ ଦ୍ୱାର, ମା’ ବିମଳାଙ୍କ ଗର୍ଭଗୃହ ଦ୍ୱାର, ମା’ ଲକ୍ଷ୍ମୀଙ୍କ ଗର୍ଭଗୃହ ଦ୍ୱାରଗୁଡିକର ବୈଷୟିକ ତଥ୍ୟକୁ କମିଟି ଅନୁମୋଦନ ଦେଇଛି । ବୈଷୟିକ ତଥ୍ୟ ରିପୋର୍ଟରେ ସମସ୍ତ ଦ୍ୱାରର ଆକାର, ମୋଟେଇ, ଲମ୍ବା, ଓସାର ଆଦି ତଥ୍ୟ ସ୍ଥାନିତ ହୋଇଛି । ସେହିଭଳି ୮ ଦ୍ୱାର ପାଇଁ ପ୍ରସ୍ତୁତ ବର୍ମା ଟିକ୍‌ କାଠରେ ନିର୍ମିତ ଫ୍ରେମ ଡଜାଇନକୁ ମଧ୍ୟ ବୈଷୟିକ କମିଟି ଅନୁମୋଦନ ଦେଇଛି ।

ନିର୍ମାଣ ସମୟ ସୂଚୀ ନିର୍ଦ୍ଧାରଣ ମୁତାବକ ୪ଟି କାଠ କବାଟକୁ ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ଜନ୍ମବେଦିରେ ଅବସ୍ଥାନ କରୁଥିବା ବେଳେ ସ୍ଥାପନ କରାଯିବ । ତଦନୁସାରେ ଆଜି ବେହରଣ ଦ୍ୱାର ପାଇଁ ନିର୍ଦ୍ଧାରିତ ଦ୍ୱାରବନ୍ଧରେ ଲଗାଇ ମପାମପି କରାଯାଇଛି । କାଠଦ୍ୱାର ଆଉ ଦ୍ୱାର ବନ୍ଧରେ କବ୍‌ଜା ଲାଗାଇ ଠିକ ସେଟ୍‌ ହେଉଛି କି ନାହିଁ ପରୀକ୍ଷା କରାଯାଇଛି । ଏହା ପରେ କାଠ କବାଟ ଫ୍ରେମକୁ ଫିଟା ଯାଇ ରୁପା ଚାଦର ଆବରଣ ଦିଆଯିବ । ଦ୍ୱାରରେ ରୁପା ଚାଦର ଆବରଣ ଦେବା ପରେ ଏହି ଦ୍ୱାରକୁ ପୁନଃ ଷ୍ଟିଲ ଦ୍ୱାରବନ୍ଧରେ କବଜା ଲଗାଇ ସ୍ଥାପନ କରାଯିବ ।

ଜୟ ବିଜୟ ଓ କଳାହାଟ ଦ୍ୱାର ସ୍ଥାପନ ବେଳେ ବଡ଼ଦେଉଳରେ ମହାପ୍ରଭୁଙ୍କ ଅନୁସ୍ଥିତିରେ ଲକ୍ଷ୍ମୀ ଠାକୁରାଣୀ ଭିତର କାଠ ନିକଟରେ ବିଜେ ହେବାର ପରମ୍ପରା ରହିଛି । କିନ୍ତୁ କାଠ କବାଟ ଲଗାଇବା ବେଳେ ମା’ଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସ୍ୱତନ୍ତ୍ର ନିଷ୍ପତ୍ତି ହୋଇଛି । ଲକ୍ଷ୍ମୀ ଠାକୁରାଣୀଙ୍କୁ ବାହାର କାଠ ନିକଟରେ କବାଟ ଲଗାଇବା ବେଳେ ସ୍ଥାନାନ୍ତର କରାଯିବ । ଏଥିପାଇଁ ମା’ଙ୍କ ପାଇଁ ଏକ ସ୍ୱତନ୍ତ୍ର ଆସ୍ଥାନ ପ୍ରସ୍ତୁତ ହେବ । ଏହି ଆସ୍ଥାନର ସୁରକ୍ଷା ଦାୟିତ୍ୱ ପ୍ରତିହାରୀ ସେବାୟତଙ୍କୁ ଦିଆଯିବ ।

ବର୍ତ୍ତମାନ ୪ଟି ଦ୍ୱାର ପାଇଁ ରୁପା ଚାଦର ପହଞ୍ଚିଛି । ଶୀଘ୍ର ବାକି ରୁପା ଚାଦର ପୁରୀ ପହଞ୍ଚିବ ବୋଲି ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଶ୍ରୀମନ୍ଦିରର ପୁରୁଣା ଦ୍ୱାରଗୁଡିକ ନୀଳାଦ୍ରି ମ୍ୟୁଜିୟମରେ ରଖାଯିିବ ବୋଲି ବୈଷୟିକ ଏବଂ ତଦାରଖ କମିଟି ନିଷ୍ପତ୍ତି ନେଇଛି ।

Spread the love