ଖସି ପଳାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର, ପୁଲିସ ଏନ୍‌କାଉଣ୍ଟରରେ ଗୁରୁତର

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି । କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା ବୋଲି ପୁଲିସ ସୂଚନା ଦେଇଛି । କିନ୍ତୁ ପୁଲିସ ସେହି ସମୟରେ ଉପାୟ ନପାଇ ବାଧ୍ୟହୋଇ ହାଇଦରକୁ ଗୁଳି କରିଥିଲା । ରିପୋର୍ଟ ଲେଖାଯିବା ବେଳକୁ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ୨୦ରେ ହାଇଦର ପରିଶ୍ରା ଯିବା ପାଇଁ କଟକ ପୁଲିସର ଏସ୍କଟ ଟିମ୍‌କୁ କହିଥିଲା । ସେଠାରୁ ସେ ସୁଯୋଗ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲା । ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା । ଉପାୟ ନ ପାଇ ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଗୁଳି ଚଳାଇଥିଲେ । ହାଇଦର ପେଟରେ ଗୁଳି ବାଜିଛି ବୋଲି ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ, କୁଖ୍ୟାତ ଅପରାଧୀ ହାଇଦର ଗତ ଏପ୍ରିଲ ୧୦ତାରିଖରେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସକୁ ଚକମା ଦେଖାଇ ଖସି ପଳାଇଥିଲା । ହାଇଦର ଫେରାର ହୋଇଯିବା ପରେ ଓଡ଼ିଶା ପୁଲିସର ନିଦ ହଜିଯାଇଥିଲା । ହାଇଦରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । କିଛି ଟିମ୍ କଟକରେ ଏବଂ ଅନ୍ୟ କିଛି ଟିମ୍ ରାଜ୍ୟର ଅନ୍ୟସ୍ଥାନରେ ନିୟୋଜିତ ହୋଇଥିଲେ । ଏଥି ସହିତ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ମଧ୍ୟ ସ୍ୱତନ୍ତ୍ର ଟିମ୍ କାମ କରୁଥିଲା । ଶେଷରେ ହାଇଦରକୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରୁ ଧରାଯାଇଥିଲା ।

Spread the love