କେନ୍ଦ୍ର ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ନବକଳେବର ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ରାଜ୍ୟରେ ବି ମନ୍ତ୍ରିମଣ୍ଡଳ ନବକଳେବର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ନବୀନ ନୂଆ ଟିମ୍‌ ଗଢ଼ିବେ । ଏହି କ୍ରମରେ ମନ୍ତ୍ରିମଣ୍ଡଳରୁ କିଛି ହଟିବେ, ଆଉ କିଛି ଫେରିବେ । କେତେକ ନୂଆ ମୁହଁ ବି ସାମିଲ ହେବେ । ଆଗକୁ ପଞ୍ଚାୟତ ଓ ପୌର ଭୋଟ୍‌ । ମନ୍ତ୍ରିମଣ୍ଡଳରେ ଅଦଳବଦଳ କରି ବିରୋଧୀଙ୍କୁ ଚକ୍‌ମା ଦେବେ ନବୀନ । ରଥ ଯାତ୍ରା ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ।

ମନ୍ତ୍ରୀ ହେବାକୁ ବିଜେଡିରେ ପୁଞ୍ଜାପୁଞ୍ଜା ଆଶାୟୀ ବାହାରିଲେଣି । ସବୁ ଅନାଇ ରହିଛନ୍ତି ନବୀନ ନିବାସ ସିଗନାଲକୁ । ଅନ୍ୟପକ୍ଷରେ ମନ୍ତ୍ରୀ ପଦ ହରାଇବା ଆଶଙ୍କା ବି ଘାରିଛି କେତେକ ମନ୍ତ୍ରୀଙ୍କୁ । ହେଲେ ନବୀନଙ୍କ ମୁଣ୍ଡରେ କି ଯୋଜନା ଚାଲିଛି, କେହି ଉଠରାଇପାରୁନାହାନ୍ତି । ହେଭିୱେଟ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ନେବେ ନା ଆଦୌ ଚର୍ଚ୍ଚାରେ ନଥିବା ବିଧାୟକଙ୍କୁ ମନ୍ତ୍ରୀ କରି ନବୀନ ସରପ୍ରାଇଜ ଦେବେ, ଏବେଠାରୁ କହିବା ମୁସ୍କିଲ ।

୨୦୧୯ରେ ବଡ଼ ବିଜୟ ସହ ବିଜେଡି ପୁନଃ କ୍ଷମତାକୁ ଫେରିବା ପରେ ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ପଞ୍ଚମ ପାଳି ସରକାର ଆରମ୍ଭ କରିଥିଲେ ନବୀନ । ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୁଯୋଗ ପାଇଲେ ୧୦ଜଣ । କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ବରିଷ୍ଠ ନେତା ନବକିଶୋର ଦାସଙ୍କୁ ସିଧା କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା । ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଟୁକୁନି ସାହୁ ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଏକାଥରକେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ଅଶୋକ ପଣ୍ଡାଙ୍କୁ ବାଦ୍‌ ଦେଲେ ରାଷ୍ଟ୍ରମନ୍ତ୍ରୀ ତାଲିକାରେ ସ୍ଥାନ ପାଇଥିବା ବାକି ୮ଜଣ ଯାକ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଲେ।

ନବୀନଙ୍କ ପଞ୍ଚମ ପାଳି ସରକାରକୁ ଇତିମଧ୍ୟରେ ୨ ବର୍ଷ ପୂରିଗଲାଣି । ଏଯାଏଁ କୌଣସି ମନ୍ତ୍ରୀଙ୍କୁ ନେଇ ସରକାର ସେଭଳି ହରଡ଼ଘଣାରେ ପଡ଼ିନାହାନ୍ତି। ରିପୋର୍ଟ କାର୍ଡରେ ପ୍ରାୟ ସବୁ ମନ୍ତ୍ରୀ ପାସ୍‌ ହୋଇଛନ୍ତି । ଅଧିକାଂଶଙ୍କ ପ୍ରଦର୍ଶନ ବେଶ୍‌ ଉତ୍ସାହଜନକ । କୋଭିଡ୍‌ ସଙ୍କଟ ଭିତରେ ବି କାହାରି ବିଭାଗ ପଛୁଆ ପଡ଼ିଯାଇନି । ତଥାପି ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ଭୋଟ୍‌ ପୂର୍ବରୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ଯୋଜନାରେ ଅଛନ୍ତି ନବୀନ।

ଦଳୀୟ ସୂତ୍ରଙ୍କ କହିବାନୁଯାୟୀ କାହାରି ଉପରେ ନବୀନ ଖପ୍‌ପା ନାହାନ୍ତି । ପ୍ରଦର୍ଶନ ରିପୋର୍ଟ କାର୍ଡ ଦେଖି ଅଧିକାଂଶକୁ ଭଲ ମାର୍କ ଦେଇଛନ୍ତି । ହେଲେ ସରକାରର ଗତାନୁଗତିକ ଧାରାକୁ ବଦଳାଇ କିଛି ନୂଆ କରି ଦେଖାଇବାକୁ ନବୀନ ଚାହୁଁଛନ୍ତି । ତେଣୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯିବ । ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟ ହିଁ ହେବ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ମୁଖ୍ୟ ମାପଦଣ୍ଡ । ଢେର ଦିନ ହେବ ସଂଗଠନ ସମ୍ଭାଳିଥିବା ନେତାଙ୍କୁ ଏବେ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଏହି ତାଲିକାରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନାଁ ନେଇ କେତେକ ମହଲରେ ଚର୍ଚ୍ଚା ହେଉଛି। ଏହାବାଦ୍‌ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ନାଁ ମଧ୍ୟ ଆଶାୟୀ ତାଲିକାରେ ଥିବା କୁହାଯାଉଛି ।

ମନ୍ତ୍ରୀ ପଦ ପାଇଁ ବଦ୍ରିନାରାୟଣ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ଅମାତ, ଚନ୍ଦ୍ରସାରଥୀ ବେହେରା ଓ ସୁଧୀର ସାମଲଙ୍କ ନାଁ ନେଇ ମଧ୍ୟ ଢେର ଚର୍ଚ୍ଚା ଶୁଣିବାକୁ ମିଳୁଛି । ସବୁଠୁ ବଡ଼ ଜିଲ୍ଲା ଗଞ୍ଜାମର ମନ୍ତ୍ରୀ ସଂଖ୍ୟା ବଢ଼ିପାରେ । ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଗଞ୍ଜାମର ଜଣେ ବରିଷ୍ଠ ନେତା ବର୍ତ୍ତମାନର ନିରପେକ୍ଷ ପଦବିରୁ ମୁକ୍ତ ହୋଇ ପୁଣି ମନ୍ତ୍ରୀ ହେବାକୁ ଲବି ଚଳାଇଛନ୍ତି । ଅଦଳବଦଳରେ ଯଦି ପୁରୀ ଜିଲ୍ଲାରୁ ଜଣେ ମନ୍ତ୍ରୀ ବାଦ୍‌ ପଡ଼ନ୍ତି, ତେବେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ମନ୍ତ୍ରୀ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ମୟୂରଭଞ୍ଜ ସାଂସଦ ସାମିଲ ହେବା ପରେ ଏହି ଜିଲ୍ଲା ଉପରେ ଏବେ ବିଜେଡି ବିଶେଷ ନଜର ରଖିଛି । ତେଣୁ ଜିଲ୍ଲାରୁ ଆଉ ଜଣକୁ ମନ୍ତ୍ରୀ ପଦ ମିଳିପାରେ । ଏହି ତାଲିକାରେ କରଞ୍ଜିଆର ନୂଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ନାମ ଚର୍ଚ୍ଚାକୁ ଆସିଛି । ଯୁବ ମୁହଁ ଭାବେ ଦେବେଶ ଆଚାର୍ଯ୍ୟ ଓ ବ୍ୟୋମକେଶ ରାୟଙ୍କ ନାମକୁ ନେଇ ମଧ୍ୟ ବିଚାର କରିପାରନ୍ତି ନବୀନ ।

୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିର ଜୋରଦାର ପ୍ରଦର୍ଶନ ସତ୍ତେ୍ୱ ମୋଦିଙ୍କ ନୂଆ ଟିମରେ ପଶ୍ଚିମ ଓଡ଼ିଶାକୁ କୌଣସି ମନ୍ତ୍ରୀ ପଦ ମିଳିନାହିଁ । ବିଜେଡି ଏହାକୁ ପ୍ରସଙ୍ଗ କରି ବିଜେପିକୁ ଘେରିବା ସହ ପଶ୍ଚିମ ଓଡ଼ିଶାରେ ସଂଗଠନକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ନବୀନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ବେଶ୍‌ ଗୁରୁତ୍ୱ ଦେବା ପାଇଁ ବିଚାର କରାଯାଉଛି ।

ନୂଆଙ୍କୁ ସୁଯୋଗ ଦେବାକୁ କିଛି ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବେ । ଗୋଟିଏ ଜିଲ୍ଲାରୁ ଏକାଧିକ ମନ୍ତ୍ରୀ ନ କରି କୌଣସି ନୂଆ ମୁହଁକୁ ସୁଯୋଗ ଦେବା ପାଇଁ ପୂର୍ବରୁ ଥିବା ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇପାରେ । ଏମିତି ଆଶଙ୍କା ନେଇ କେତେକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ । ସବୁ ପରେ ବି ମନ୍ତ୍ରିମଣ୍ଡଳରେ ଯେଉଁମାନେ ରହିବେ, ସେମାନଙ୍କ ଭିତରୁ କେତେକଙ୍କ ବିଭାଗ ଅଦଳବଦଳ ହେବ ।

ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ଢେର ଦିନରୁ ଚର୍ଚ୍ଚା ହେଉଥିବାବେଳେ କରୋନା ସଙ୍କଟ ଯୋଗୁ ପ୍ରକ୍ରିୟା ଅଟକି ରହିଥିଲା । ଏବେ ପ୍ରକ୍ରିୟା ତେଜିଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ଦଳ ଭିତରେ ଏବେ ଚର୍ଚ୍ଚା ଜୋର ଧରିଛି । ଆଶାୟୀ ନେତାଙ୍କ ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି । ମନ୍ତ୍ରୀ ଚୟନରେ ନବୀନଙ୍କ ପ୍ରତି ଆନୁଗତ୍ୟ ଓ ନିଷ୍ଠା ହିଁ ସବୁଠୁ ବଡ଼ ମାପକାଠି ହେବ । ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ । ହେଲେ ସବୁବେଳେ ନିଜ ନିଷ୍ପତ୍ତିରେ ଚକ୍‌ମା ଦେଉଥିବା ନବୀନ ଏଥର କି ସରପ୍ରାଇଜ୍‌ ଦେବେ, ତାହା ଖୁବଶୀଘ୍ର ଜଣାପଡ଼ିବ ।

Spread the love