ଆଇପିଏଲ-୨୦୨୧ : ବାଙ୍ଗାଲୋର-ରାଜସ୍ଥାନ ଟକ୍କର ଆଜି

ମୁମ୍ବାଇ : ଆଇପିଏଲ୍‌-୨୦୨୧ର ୧୪ଶ ସଂସ୍କରଣରେ ଗୁରୁବାର ୧୬ତମ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ୱଧୀନ ରାଜସ୍ଥାନ ରୟାଲ୍‌ସ (ଆରଆର) ମୁହାଁମୁହିଁ ହେବେ । ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳିସାରିଥିବା ବିରାଟ ବାହିନୀ ହ୍ୟାଟ୍ରିକ୍‌ ବିଜୟ ସହ ଅପରାଜେୟ ରହି ୬ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଥର ନେତୃତ୍ୱ ଭାର ପାଇଥିବା ସଞ୍ଜୁ ସାମ୍‌ସନ୍‌ଙ୍କ ଦଳ ସମାନ ୩ ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୨ ପରାଜୟ ସହ ସପ୍ତମ ସ୍ଥାନରେ ରହିଛି। ତେଣୁ ଗୁରୁବାର ମ୍ୟାଚ୍‌କୁ ଜିତି ଅପରାଜେୟ ଧାରା ଜାରି ରଖିବା ଲାଗି ଆର୍‌ସିବି ଲକ୍ଷ୍ୟ ରଖିଥିଲା ବେଳେ ରାଜସ୍ଥାନ କିନ୍ତୁ ବିଜୟ ଧାରାକୁ ଫେରି ପଏଣ୍ଟ ତାଲିକାର ଉପରକୁ ଉଠିବାର ଲକ୍ଷ୍ୟ ରଖିଛି। ଫଳରେ ଆର୍‌ସିବିକୁ ହରାଇବା ରାଜସ୍ଥାନ ପାଇଁ ଏକ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି । ଆଇପିଏଲ୍‌ ଇତିହାସରେ ଉଭୟ ବାଙ୍ଗାଲୋର ଓ ରାଜସ୍ଥାନ ଏପର୍ଯ୍ୟନ୍ତ ୨୩ଥର ମୁହାଁମୁହିଁ ହୋଇଥିଲା ବେଳେ ୧୦ ଲେଖାଏଁ ବିଜୟ ହାସଲ କରି ସମତୁଲ ସ୍ଥିତିରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ୩ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି।

ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ନବାଗତ ଫିନ ଆଲେନଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ଏକାଦଶରେ ଦେଖିବାକୁ ମିଳିପାରେ । ଇତି ମଧ୍ୟରେ ତାଙ୍କର କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇଛି ଓ ସେ ଦଳ ସହ ଅଭ୍ୟାସ ଜାରି ରଖିଛନ୍ତି । ଦେବଦତ୍ତ ପାଡ଼ିକଲଙ୍କ ସ୍ଥାନରେ ଆଲେନ୍‌ ଆଜି ଆରମ୍ଭ କରିବେ । ରାଜସ୍ଥାନ ରୟାଲ୍ସ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ରେ ବିଫଳ ହୋଇଥିବା ମନନ ଭୋରାଙ୍କ ସ୍ଥାନରେ ଜଶସ୍ୱୀ ଜୈସ୍ୱାଲଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଉଛି । ଗୁରୁବାର ରାଜସ୍ଥାନ ରୟାଲ୍ସ ଏକାଦଶକୁ ଶ୍ରେୟାସ ଗୋପାଳ ଫେରିବା ସମ୍ଭାବନା ରହିଛି । ସେ ଆଇପିଏଲ୍‌ରେ ଏବି ଡି ଭିଲର୍ସଙ୍କୁ ୪ଥର ଓ ବିରାଟ କୋହଲିଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି । ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲର ୟୁଝବେନ୍ଦ୍ର ଚହଲଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଚହଲଙ୍କ ବିପକ୍ଷରେ ସଞ୍ଜୁ ୫ଥର ଆଉଟ୍‌ ହୋଇଛନ୍ତି । ସେହିପରି ଡେଭିଡ୍‌ ମିଲରଙ୍କୁ ଚହଲ ୩ଥର ଆଉଟ୍‌ କରିଛନ୍ତି । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଦଳ ଇତି ମଧ୍ୟରେ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଛି । ତେଣୁ ଗୁରୁବାର ପୁଣିଥରେ ବିଜୟଧାରାକୁ ଫେରିବା ପାଇଁ ରାଜସ୍ଥାନ ରୟାଲ୍ସ ସବୁ ଶକ୍ତି ଖଟାଇବାକୁ ଯୋଜନା ପ୍ରସ୍ତୁତ କରିଛି ।ଗତ ବର୍ଷ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ଉଭୟ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟୀ ହୋଇଥିଲା । ଗୁରୁବାର ବିଜୟ ସହ ରାଜସ୍ଥାନ ରୟାଲ୍ସ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ଆହତ ହୋଇ ବେନ ଷ୍ଟୋକ୍ସ ଆଇପିଏଲ୍‌ରୁ ବାଦ ପଡ଼ିବା ପରେ ରୟାଲ୍ସ ଦଳ ଅଧା ଶକ୍ତି ହରାଇଛି । ଏପଟେ ଜୈବ ସୁରକ୍ଷା ବଳୟ ଜନିତ ମାନସିକ ବିଶାଦରୁ ମୁକ୍ତି ପାଇବା ପାଇଁ ଲାଏମ ଲିଭିଙ୍ଗଷ୍ଟୋନ ମଧ୍ୟ ସ୍ୱଦେଶ ଫେରିବାକୁ ମନସ୍ଥ କରିଛନ୍ତି । ଏଭଳି ସ୍ଥଳେ ରାଜସ୍ଥାନ ରୟାଲ୍ସ ଶ୍ରେଷ୍ଠ ଏକାଦଶ ଚୟନ କରିବାରେ ବିଫଳ ହୋଇଛି । ଗୁରୁବାର ଏକ ଉପଯୁକ୍ତ ଏକାଦଶ ଗଠନ କରିବା ରୟାଲ୍‌ ଦଳ ପାଇଁ କଷ୍ଟକର ହେବ ।

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଆଦାମ ଜାମ୍ପା, ଦେବଦତ୍ତ ପଡିକଲ, କେନ୍‌ ୱିଲିୟମସନ୍‌, ମହମ୍ମଦ ସିରାଜ, ନଭଦୀପ ସୈନି, ପବନ ଦେଶପାଣ୍ଡେ, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ୍‌, ଗ୍ଲେନ ମ୍ୟାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍‌, କାଏଲ୍ ଜାମିସନ୍‌, ଡାନ୍ କ୍ରିଷ୍ଟିଆନ୍‌, ସୂୟାଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍‌ ଆଲେନ୍‌।

ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍‌ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍‌, ବେନ୍ ‌ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ମହିପାଲ୍‌ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍‌ ମୋରିସ୍‌, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, କୁଲଦୀଦ ଯାଦବ, ଆକାଶ ସିଂହ।

Spread the love