ଆଇପିଏଲ-୨୦୨୧: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ : ଆଇପିଏଲର ୯ମ ମ୍ୟାଚରେ ଶନିବାର ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ । ପୂର୍ବ ୨ ମ୍ୟାଚରେ ପରାଜୟ ବରଣ କରିଥିବା ଡେଭିଡ୍‌ ଓ୍ବାର୍ଣ୍ଣରଙ୍କ ହାଇଦ୍ରାବାଦ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ।

ହାଇଦ୍ରାବାଦ ଚିପକ୍‌ରେ ଖେଳିଥିବା ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (୧୦ରନ୍‌ରେ) ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ( ୬ରନ୍ )ଠୁ ହାରିଯାଇଥିଲା । ବ୍ୟାଟିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ଦଳ ପରାଜୟର ମୁଖ୍ୟ କାରଣ ଥିଲା । ଉପଯୁକ୍ତ ବ୍ୟାଟିଂ କ୍ରମ ଚୂଡ଼ାନ୍ତ କରିବା ଜରୁରୀ ହୋଇପଡ଼ିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ଦଳ ୧୫୦ରନ୍‌ର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ଏହି ମ୍ୟାଚ୍‌ରେ ୱାର୍ଣ୍ଣର (୫୪) ଓ ମନୀଷ ପାଣ୍ଡେ (୩୮)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ । ଶନିବାର ୱାର୍ଣ୍ଣର ଚୂଡ଼ାନ୍ତ ଏକାଦଶ ପରିବର୍ତ୍ତନ କରିପାରନ୍ତି । ଯୁବ ବ୍ୟାଟ୍ସମ୍ୟାନ୍‌ ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମାଙ୍କୁ ସୁଯୋଗ ମିଳିପାରେ । ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି । ଶନିବାର ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଏବଂ ସନ୍‌ରାଇଜର୍ସ ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ହେବ ।
ଚଳିତ ସିଜନରେ ମୁମ୍ବାଇ ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ (୨ ୱିକେଟ୍‌) ନିକଟରୁ ହାରି ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ନାଟକୀୟ ଭାବେ ନାଇଟ୍‌ ରାଇଡର୍ସ (୧୦ରନ୍‌)କୁ ହରାଇ ପଏଣ୍ଟ ଖାତା ଖୋଲିଥିଲା । ଶନିବାର ରୋହିତ ଚୂଡ଼ାନ୍ତ ଏକାଦଶ ପରିବର୍ତ୍ତନ କରିନପାରନ୍ତି । ଦଳ ସବୁ ବିଭାଗରେ ଦୃଢ଼ । ବ୍ୟାଟିଂ ବିଭାଗରେ ରୋହିତ, ଡି’କକ୍‌, ସୂର୍ଯ୍ୟକୁମାର, କିଷନ, ପାଣ୍ଡ୍ୟା ଓ ପୋଲାର୍ଡ଼ଙ୍କ ଭଳି ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି । ପ୍ରଥମ ୨ଟି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବାବେଳେ ଅନ୍ୟମାନେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ନାଇଟ୍‌ ରାଇଡର୍ସ ବିପକ୍ଷରେ ସ୍ପିନର ରାହୁଲ ଚହର (୪ ୱିକେଟ୍‌) ଏବଂ ଡେଥ୍‌ ଓଭରରେ ଟ୍ରେଣ୍ଟ ବୋଲ୍ଟ (୨ ୱିକେଟ୍‌)ଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ବିଜୟ ହାସଲ କରିଥିଲା । ଶନିବାର ଚହରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ ପୋଲାର୍ଡ଼, କୃନାଲ ପାଣ୍ଡ୍ୟା, ଆଦାମ ମିଲନ, ରାହୁଲ ଚହର, ଯଶପ୍ରୀତ୍‌ ବୁମରା, ଟ୍ରେଣ୍ଟ ବୋଲ୍ଟ ।

ସନ୍‌ରାଇଜର୍ସ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ, ଅବଦୁଲ ସମଦ, ବିଜୟ ଶଙ୍କର, ବିରାଟ ସିଂହ, ଅଭିଷେକ ଶର୍ମା, ଜାସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ୱର କୁମାର, ମୁଜିବରୁ ରହମାନ, ଖଲିଲ ଅହମ୍ମଦ ।

Spread the love