ଆଇପିଏଲ-୨୦୨୧ : ୧୦ ରନରେ ଜିତିଲା ମୁମ୍ବାଇ

ଆଇପିଏଲ-୨୦୨୧ : କୋଲକାତାକୁ ୧୦ ରନରେ ହରାଇଲା ମୁମ୍ବାଇ
ଚେନ୍ନାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚ୍ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଛି । ଚେନ୍ନାଇ ସ୍ଥିତ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଇଅନ୍ ମୋର୍ଗାନଙ୍କ ନେତୃତ୍ୱରେ ଖେଳୁଥିବା କୋଲକାତା ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେବା ପରେ ରୋହିତ ଶର୍ମାଙ୍କ ବାହିନୀ ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୨ ରନରେ ଅଲ୍‌ଆଉଟ୍ ହୋଇଥିଲା। ମାତ୍ର ଏତେ କମ ରନର ବିଜୟ ଲକ୍ଷ ପରେ ମଧ୍ୟ କୋଲକାତା ୧୦ ରନରେ ହାରିଛି । ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ମୁହଁରୁ ବିଜୟ ଛଡାଇ ଆଣିଛି। ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଦ୍ଵିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି କୋଲକାତା ନାଇଟ୍ ରାଇଡର୍ସ। ସେହିପରି ଆନ୍ଦ୍ରେ ରସେଲ ୫ ଓ୍ଵିକେଟ୍ ସଫଳତା ବ୍ୟର୍ଥ ହୋଇଥିବା ବେଳେ ରାହୁଲ ଚହର ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମୁମ୍ବାଇ ଟିମ୍ ଏକ ସମୟରେ ୧୦.୨ ଓଭରରେ ୧ ୱିକେଟ୍ ହରାଇ ୮୬ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ୫୮ ବଲରେ ଏହି ଟିମ୍ ୯ ୱିକେଟ୍ ହରାଇ ମାତ୍ର ୬୬ ରନ୍ କରିବାକୁ ସକ୍ଷମ ହୋଇଛି। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ସର୍ବାଧିକ ୫୬ (୩୬ ବଲ୍, ୭ ଚୌକା, ୨ ଛକା) ଓ କ୍ୟାପଟେନ୍ ରୋହିତ୍ ଶର୍ମା ୪୩ (୩୨ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି। କେକେଆରର ପ୍ରାୟ ବୋଲର ପ୍ରଶଂସନୀୟ ବୋଲିଂ କରିଛନ୍ତି। କିନ୍ତୁ ରସେଲ୍ ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ଟି ୱିକେଟ୍ ନେଇ ମୁମ୍ବାଇ ପାଇଁ କାଳ ସାଜିଥିଲେ। ଏବେ ମ୍ୟାଚ୍ ଜିତିବା ପାଇଁ କେକେଆରକୁ ୧୫୩ ରନ୍ କରିବାକୁ ପଡ଼ିବ। ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ କ୍ୟାପଟେନ ଇଆନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ରିସ୍ ଲିନଙ୍କ ସ୍ଥାନରେ ଟିମକୁ ଫେରିଥିବା କ୍ୱିଣ୍ଟନ୍ ଡି’କକ୍ ମାତ୍ର ୨ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ରୋହିତ୍ ଓ ଇନଫର୍ମ ସୂର୍ଯ୍ୟକୁମାର ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ସୂର୍ଯ୍ୟକୁମାର ଫର୍ମ ବଜାୟ ରଖି ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ହାଫ୍ ସେଞ୍ଚୁରୀ ମାରିବା ପରେ ସୂର୍ଯ୍ୟକୁମାରଙ୍କ ମୂଲ୍ୟବାନ ୱିକେଟ୍ ନେଇଥିଲେ ବାଂଲାଦେଶୀ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍। ଆଉଟ୍ ହେବା ପୂର୍ବରୁ ସୂର୍ଯ୍ୟକୁମାର ରୋହିତଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନର ପାର୍ଟନରଶିପ୍ କରିଥିଲେ। ସୂର୍ଯ୍ୟଙ୍କ ଆଉଟ୍ ପରେ ମୁମ୍ବାଇ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରେ ଲାଗିଥିଲା। ଈଶାନ କିଶନ ମାତ୍ର ୧ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହେବା ପରେ ଟିମର ସବୁ ଭାର କ୍ୟାପଟେନ୍ ରୋହିତଙ୍କ ଉପରକୁ ଆସିଥିଲା। କିନ୍ତୁ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇ କମିନ୍ସ କେକେଆରକୁ ମ୍ୟାଚରେ କମବ୍ୟାକ୍ କରାଇବା ସହ ଡିଫେଣ୍ଡିଂ ଚାମ୍ପିୟନ୍ ଟିମକୁ ବଡ଼ ସ୍କୋର କରିବାରୁ ରୋକିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ ଓ କୃନାଲ୍ ପାଣ୍ଡ୍ୟାଙ୍କଠାରୁ ଟିମ୍ ଆଶା ବାନ୍ଧିଥିଲେ ହେଁ, ଏମାନେ ମଧ୍ୟ ଆଶାନୁରୂପ ରନ୍ କରିପାରିନଥିଲେ। ହାର୍ଦ୍ଦିକ ମାତ୍ର ୧୫ ରନ୍ କରି ପ୍ରସିଦ୍ଧ କୃଷ୍ଣଙ୍କ ବଲରେ ଆନ୍ଦ୍ରେ ରସେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ପୋଲାର୍ଡ (୫), କୃନାଲ (୧୫) ଓ ମାର୍କୋ ଜାନେସନ୍ (୦)ଙ୍କୁ ରସେଲ୍ ପ୍ୟାଭିଲିୟନ୍ ପଠାଇ ମୁମ୍ବାଇର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ରାହୁଲ୍ ଚହର୍ ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ (୦) ଅପରାଜିତ ଥିଲେ। କେକେଆର୍ ପକ୍ଷରୁ କମିନ୍ସ ୨ଟି, ବରୁନ୍ ଚକ୍ରବର୍ତ୍ତୀ, ସାକିବ୍ ଓ ପ୍ରସିଦ୍ଧ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

୧୫୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକତା ନାଇଟ୍ ରାଇଡର୍ସକୁ ଦୁଇ ଓପନର ଶୁବମାନ ଗିଲ୍ ଓ ନୀତିଶ ରାଣା ଭଳ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍‌ରେ ୭୨ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ଗିଲ୍ ୩୩ ରନ କରି ବିଦାୟ ନେଇଥିଲେ। ରାହୁଲ ଚହର ଓପନିଂ ଯୋଡି ଭାଙ୍ଗିବା ସହ କୋଲକାତାର ୪ ବ୍ୟାଟସମ୍ୟାନଙ୍କୁ ଶୀଘ୍ର ପାଭିଲିୟନ ପଠାଇଥିଲେ। ରାହୁଲ ତ୍ରିପାଠୀ(୫) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅଧିନାୟକ ଇଅନ ମୋର୍ଗାନ(୭) ନିରାଶ କରିଥିଲେ। ନୀତିଶ ରାଣା ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୭ ବଲ୍‌ରୁ ୬ ଚୌକା ଓ ୨ ଛକା ସହ ୫୭ ରନ କରି ଆଉଟ୍ ହୋଇଥିଲେ। ସାକିବ ଉଲ ହସନ ୯ ରନ କରି ଆଉଟ୍ ହୋଇଥିଲେ। କୋଲକାତା ୧୨୨ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଏକତରଫା ମ୍ୟାଚ୍‌ ରୋମାଞ୍ଚକର ମୋଡ ନେଇଥିଲା। ପ୍ରଥମରୁ କୌଣସି ସଫଳତା ପାଇନଥିବା ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଶେଷ ଭାଗରେ ଶାଣିତ ବୋଲିଂ କରିଥିଲେ। ଶେଷ ଦୁଇ ଓଭରରେ କୋଲକାତାକୁ ୧୯ ରନ ଦରକାର ଥିବା ବେଳେ ୧୯ତମ ଓଭରରେ ବୁମରା ମାତ୍ର ୪ ରନ ଦେଇଥିଲେ। ଶେଷ ଓଭରରେ କୋଲକାତାକୁ ଜିତିବା ପାଇଁ ୧୫ ରନ ଦରକାର ଥିବା ବେଳେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ପାରିନଥିଲା। ଅନ୍ତିମ ଓଭରରେ ଟ୍ରେଣ୍ଟ ବୋଲ୍ଡ ଆନ୍ଦ୍ରେ ରସେଲ(୯) ଓ ପାଟ୍ କମିନ୍ସ(୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଦଳକୁ ବିଜୟ କରାଇଥିଲେ। ନିର୍ଦ୍ଧାରିତ ଓଭରରେ କୋଲକାତା ୭ ଓ୍ଵିକେଟ୍ ହରାଇ ୧୪୨ ରନରେ ସୀମିତ ରହିଥିଲା।

Spread the love