ଆଇପିଏଲ ୨୦୨୧ : ଆଜି ମୁମ୍ବାଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗ୍‌ସ ମ୍ୟାଚ

ଚେନ୍ନାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ଶୁକ୍ରବାର ୧୭ତମ ମ୍ୟାଚ ଖେଳାଯିବ । ଏଥିରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ କେଏଲ୍ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିଁ ହେବେ । ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚରେ ପରାଜୟର ସାମ୍ନା କରିଛନ୍ତି । ତେଣୁ ଏହି ମ୍ୟାଚ ବିଜୟ ସହ ଉଭୟ ଦଳ ବିଜୟ ଧାରାକୁ ଫେରିବାକୁ ପ୍ରୟାସ କରିବେ । ଉଭୟ ଦଳ ପୂର୍ବରୁ ୨୬ ଥର ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୪ ଓ ପଞ୍ଜାବ କିଙ୍ଗ୍ସ ୧୨ ମ୍ୟାଚ୍ ଜିତିଛି। ଗତ ତିନିଟି ମ୍ୟାଚ୍‌ରୁ କିନ୍ତୁ ମୁମ୍ବାଇ ଦୁଇଟି ଜିତି ଆଗରେ ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ ଠୁ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଦୂର୍ବଳତା ନଜରକୁ ଆସିଛି । ଦଳର ବ୍ୟାଟିଂ ବିଭାଗ ବେଶ୍‌ ସନ୍ତୁଳିତ । ତଥାପି ବ୍ୟାଟ୍ସମ୍ୟାନମାନେ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । କ୍ୱିଣ୍ଟନ ଡି କକ ଓ ରୋହିତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ହେଲେ ଅର୍ଦ୍ଧଶତକୀୟ ଇନିଂସ ଖେଳି ନାହାନ୍ତି । ସେହିପରି ନିମ୍ନ ମଧ୍ୟଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରେନ୍‌ ପୋଲାର୍ଡ ବିସ୍ଫୋରକ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ବୋଲିଂ ବିଭାଗ ବେଶ୍‌ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ପେସ୍‌ ବିଭାଗ ସମ୍ଭାଳୁଛନ୍ତି । ଲେଗ ସ୍ପିନର ରାହୁଲ ଚହରଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ରହିଛି । ସେ ଇତି ମଧ୍ୟରେ ୮ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ଅନ୍ୟପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ପଞ୍ଜାବ କିଙ୍ଗ୍ସ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ତାର କମାଲ ଦେଖାଇ ପାରିନାହିଁ। ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇବା ପରେ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ପରାଜିତ ହୋଇସାରିଛି । ଫଳରେ ଆଜିର ମ୍ୟାଚ୍‌ ପଞ୍ଜାବ କିଙ୍ଗ୍‌ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବା ଜରୁରୀ । ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍‌ ଫର୍ମରେ ରହିଛନ୍ତି । କ୍ରିସ ଗେଲ, ନିକୋଲାସ୍‌ ପୂରନ, ଦୀପକ ହୁଡ଼ା ଓ ଶାହରୁଖ ଖାନ୍‌ ସଫଳ ହେଲେ ପଞ୍ଜାବ କିଙ୍ଗ୍‌ସର ବିଜୟ ସମ୍ଭବ ହୋଇପାରିବ । ସେହିପରି ପଞ୍ଜାବ କିଙ୍ଗ୍‌ସର ବୋଲିଂ ବିଭାଗରେ ସମସ୍ୟା ରହିଛି । ମହମ୍ମଦ ସାମି ବୋଲିଂ ବିଭାଗ ସମ୍ଭାଳୁଥିଲେ ହେଁ ଦଳ ଏପର୍ଯ୍ୟନ୍ତ ଉପଯୁକ୍ତ ବୋଲିଂ ଯୋଡି ପାଇ ନାହିଁ । ରିଲି ମେରେଡିଥ୍‌ ଓ ଝେୟ ରିଚାର୍ଡସନ୍‌ ଭାରତୀୟ ପିଚ୍‌ରେ ବୋଲିଂ କରିବାର କୌଶଳ ପାଇ ନାହାନ୍ତି । ସ୍ପିନ ବିଭାଗରେ ମଧ୍ୟ ବାରମ୍ବାର ଅଦଳ ବଦଳ ହେଉଛି । ତେଣୁ ଆସନ୍ତା କାଲି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବା ପୂର୍ବରୁ ପଞ୍ଜାବ କିଙ୍ଗ୍‌ସ ଏକ ଦକ୍ଷ ବୋଲିଂ ବିଭାଗ ପ୍ରସ୍ତୁତ କରିବା ଜରୁରୀ ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ : ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଈଶାନ କିଶନ, ଜେମ୍ସ ନୀସାମ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମାର୍କୋ ଜାନସେନ, ମୋହସିନ ଖାନ୍, ନାଥନ କୁଲଟର ନାଇଲ, ପୀୟୂଷ ଚାୱଲା, କ୍ବିଣ୍ଟନ୍ ଡି’କକ୍, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଆଦାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନକୁଲ ରାୟ, ଅର୍ଜୁନ ତେନ୍ଦୁଲକର, କ୍ରିସ୍ ଲିନ୍, ଧବଲ କୁଲକର୍ଣ୍ଣି, ୟୁଧବୀର ସିଂହ।

ପଞ୍ଜାବ କିଙ୍ଗ୍ସ ଦଳ : କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ନିକୋଲାସ ପୂରନ, ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଈଶାନ ପୋରେଲ, ଦର୍ଶନ ନାଲଖଣ୍ଡେ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝେ ରିଚାର୍ଡସନ୍, ଶାହରୁଖ ଖାନ୍, ରିଲେ ମେରିଡିଥ୍, ମୋଜେସ୍ ହେନରିକ୍ସ, ଜଳଜ ସାକ୍ସେନା, ଉତ୍କର୍ଷ ସିଂହ, ଫାବିଏନ୍ ଆଲେନ, ସୌରଭ କୁମାର।

Spread the love