ଶୁକ୍ରବାର ଠାରୁ ଭାରତ-ଇଂଲଣ୍ଡ ସୀମିତ ଓଭର୍ ସିରିଜ୍‌

  • ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଭ୍ୟାସ

ଅହମ୍ମଦାବାଦ : ଆସନ୍ତା ୧୨ ତାରିଖଠାରୁ ଏଠାକାର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍‌ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ୍ ଆରମ୍ଭ ହେବ । ପୂର୍ବରୁ ଦୁଇ ଦେଶ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିସାରିଥିବା ବେଳେ ଭାରତ ୩-୧ରେ ବିଜୟୀ ହୋଇସାରିଛି । ଶେଷ ଦୁଇଟି ଟେଷ୍ଟ୍ ଏହି ଗ୍ରାଉଣ୍ଡରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ବେଶ୍ ଦମ୍‌ଦାର ତରିକାରେ ବିଜୟୀ ହୋଇ ଆଗାମୀ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍‌ରେ ସ୍ଥାନ ପକ୍କା କରିଛି । କ୍ରିକେଟ୍‌ର ପାଞ୍ଚଦିନିଆ ଫର୍ମାଟ୍‌ରୁ ଟିମ୍ ଇଣ୍ଡିଆ ଖେଳାଳିମାନେ ଫଟାଫଟ୍ ଫର୍ମାଟ୍‌କୁ ଓହ୍ଲାଇଛନ୍ତି । ଫଳରେ ଏଥିପାଇଁ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି । ଟିମ୍ ଇଣ୍ଡିଆରେ ନୂଆ କରି ସାମିଲ୍ ହୋଇଥିବା ମୁମ୍ବାଇର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ଅନ୍ତର୍ଜାତୀୟ କ୍ରିକେଟ୍ ଆରମ୍ଭ କରିବା ସକାଶେ ବେଶ୍ ଉତ୍ସାହିତ ପରିଲକ୍ଷିତ ହୋଇଛନ୍ତି । ଟିମ୍ ଇଣ୍ଡିଆର ନେଟ୍ ପ୍ରାକ୍ଟିସ୍ ବେଳେ ସୂର୍ଯ୍ୟକୁମାର ବେଶ୍ ଝାଳ ବୁହାଉଥିବା ପରିଲକ୍ଷିତ ହୋଇଛି । ଆଇପିଏଲ୍‌ରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଚାଲିବା ଫଳରେ ଶେଷରେ ସୂର୍ଯ୍ୟକୁମାର ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇ ନିଜର ସ୍ୱପ୍ନ ସାକାର କରିବା ସକାଶେ ବେଶ୍ ଆଶାବାଦୀ ଥିବା ସୂର୍ଯ୍ୟକୁମାରଙ୍କୁ କିନ୍ତୁ ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌ଙ୍କ ପରି ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ଙ୍କଠାରୁ କଡ଼ା ଚାଲେଞ୍ଜ୍ ମିଳିବ । କିନ୍ତୁ ଆଇପିଏଲ୍‌ରେ ଗତ ତିନିଟି ସିଜନ୍ ସହ ଚଳିତ ବିଜୟ ହଜାରେ ଟ୍ରଫିରେ ମଧ୍ୟ ତାଙ୍କର ଇନ୍‌ଫର୍ମ ବ୍ୟାଟିଂ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌କୁ ପ୍ରଥମ ମ୍ୟାଚ୍‌ରେ ସାମିଲ୍ କରିବା ପାଇଁ ବାଧ୍ୟ କରିପାରେ । ବ୍ୟାଟିଂ ଅଭ୍ୟାସ ନେଇ ଟ୍ୱିଟ୍ କରି ସୂର୍ଯ୍ୟକୁମାର ତାଙ୍କୁ ଘରୋଇ ପରିବେଶ ପରି ମନେ ହୋଇଛି ବୋଲି କହିଛନ୍ତି । ସେ ଟ୍ୱିଟର୍ ହ୍ୟାଣ୍ଡଲରେ ଲେଖିଛନ୍ତି ଯେ ଟିମ୍ ଇଣ୍ଡିଆର ନୀଳ ଜର୍ସିରେ ନଜର ଆସିବା ଓ ବ୍ୟାଟିଂ କରିବା ଏବଂ ୨୨ ଗଜ ଦୂରତାରୁ ବଲ୍‌କୁ ହିଟ୍ କରିବା ସବୁକିଛି ଘରୋଇ ପରିବେଶ ପରି ମନେ ହେଉଛି । ଏଥିସହ ସେ ଅଭ୍ୟାସ ବେଳର ଏକ ଫଟୋ ମଧ୍ୟ ଶେୟାର୍ କରିଛନ୍ତି ।

ସେହିପରି ରାହୁଲ୍ ମଧ୍ୟ ନେଟ୍ସରେ ଅଭ୍ୟାସ କରିବା ସମୟର ଫଟୋ ସୋସାଲ୍ ମିଡିଆରେ ଅପଲୋଡ୍ କରିଛନ୍ତି । ଗତ ସପ୍ତାହେ ହେଲା ସେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅଛନ୍ତିଓ ଏଠାକାର ପରିବେଶ ତାଙ୍କୁ ବେଶ୍ ଆମୋଦ ପ୍ରଦାନ କରିଛି ବୋଲି ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ଦ୍ୱିତୀୟ ସ୍ଥାନରେ ଥିବା ରାହୁଲ୍ କହିଛନ୍ତି । ଭାରତର ଅନ୍ୟାନ୍ୟ କୌଣସି ଷ୍ଟାଡିୟମ୍‌ରେ ଏଠାକାର ସୁବିଧା ଉପଲବ୍ଧ ନାହିଁ । ଏପରି ଏକ ଚମତ୍କାର ଭେନ୍ୟୁରେ ମ୍ୟାଚ୍‌ରେ ପଡ଼ିଆ ମଝିକୁ ଯାଇ ବ୍ୟାଟିଂ କରିବାର ଉତ୍କଣ୍ଠା କ୍ରମଶଃ ବଢ଼ିଚାଲିଛି ବୋଲି ରାହୁଲ୍ କହିଛନ୍ତି । ତାଙ୍କର ବ୍ୟାଟିଂ ବେଳର ଭିଡିଓ ସୋସାଲ୍ ମିଡିଆରେ ଶେୟାର ହେବାର କେଇ ସେକେଣ୍ଡ୍ ଭିତରେ ପାଖାପାଖି ସାଢ଼େ ୧୦ ଲକ୍ଷ ପ୍ରଶଂସକ ଲାଇକ୍ କରିଛନ୍ତି । ଏହାଛଡ଼ା ଟିମ୍ ଇଣ୍ଡିଆକୁ ଫେରିବା ସକାଶେ ବେଶ୍ ଉଦଗ୍ରୀବ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମଙ୍ଗଳବାର ବଡ଼ ବଡ଼ ଶଟ୍ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏହାଛଡ଼ା ସେ ଫିଟ୍‌ନେସ୍ ପାଇଁ ରନିଙ୍ଗ୍ ଓ ବୋଲିଂ ମଧ୍ୟ କରିଛନ୍ତି । ଅଭ୍ୟାସ ସମୟର ଭିଡିଓ ସୋସାଲ୍ ମିଡିଆରେ ଅପଲୋଡ୍ କରି ବିଶ୍ୱର ଏକ ନମ୍ବର ଟି-୨୦ ଟିମ୍ ଇଂଲଣ୍ଡ ବିପକ୍ଷରେ ବଡ଼ ବଡ଼ ଶଟ୍ ମାରି ଦର୍ଶକଙ୍କୁ ଆମୋଦିତ କରିବେ ବୋଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି । ଟି-୨୦ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବର୍ତ୍ତମାନ ୧୨ ତାରିଖରେ କେବଳ ପଡ଼ିଆକୁ ଯାଇ ଅସଲ ଦକ୍ଷତା ଦେଖାଇବାକୁ ଅପେକ୍ଷା ରହିଛି ବୋଲି ପାଣ୍ଡ୍ୟା ତାଙ୍କ ଟ୍ୱିଟର୍ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି । ଏମାନଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ଅନ୍ୟାନ୍ୟ ସଦସ୍ୟ ଯଥା ଶାର୍ଦ୍ଦୁଲ୍ ଠାକୁର, ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ, ଶିଖର ଧୱନ୍ ଫିଲ୍‌ଡିଂ ଅଭ୍ୟାସ କରିଥିବା ବେଳେ ଅଧିନାୟକ ବିରାଟ କୋହଲି, ଆୟର୍ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ବି ବ୍ୟାଟିଂ କରୁଥିବା ବିସିସିଆଇ ପକ୍ଷରୁ ପୋଷ୍ଟ୍ କରାଯାଇଥିବା ଏକ ଭିଡିଓରୁ ପ୍ରତୀୟମାନ ହୋଇଛି । ସେହିପରି ଶିଖର ଫିଲ୍‌ଡିଂ କରିବା ବ୍ୟତୀତ ଫୁଟବଲ୍ ଖେଳିବା ଓ ବ୍ୟାଟିଂ ଅଭ୍ୟାସ ମଧ୍ୟ କରିଛନ୍ତି । ତାଙ୍କୁ ଫୁଟବଲ୍ ଖେଳିବାରେ ଅଧିନାୟକ କୋହଲି, ଆୟର୍ ଓ ପନ୍ତ୍ ମଧ୍ୟ ସହଯୋଗ କରିଥିବା ଦେଖାଯାଇଛି ।

Spread the love