ଦେଶରେ ଆଉ ୩,୮୨,୩୧୫ କରୋନା ସଂକ୍ରମିତ ଚିହ୍ନଟ, ୩,୭୮୦ ମୃତ

ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଏଥିସହିତ ଦୈନିକ କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ୧ ନମ୍ବରରେ ପହଞ୍ଚିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଅନ୍ୟପଟେ କରୋନା ଟିକାକରଣ ଚାଲିଥିବା ସତ୍ତ୍ୱେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବୃଦ୍ଧି ପାଇଛି । ଦେଶରେ ସମ୍ପ୍ରତି ୨.୪ ନିୟୁତ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି।

ବୁଧବାର ଗତ ୨୪ଘଣ୍ଟାରେ ୩ଲକ୍ଷ ୮୨ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୭୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩ଲକ୍ଷ ୩୮ହଜାର ୪୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୦୬ଲକ୍ଷ ୬୫ହଜାର ୧୪୮କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୨୬ହଜାର ୧୮୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୬୯ଲକ୍ଷ ୫୧ହଜାର ୭୩୧ଜଣ ସୁସ୍ଥ ହୋଇଥିବା ବେଳେ ୩୪ଲକ୍ଷ ୮୭ହଜାର ୨୨୯ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସୂଚନା ଯେ, ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୧,୮୮୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୧ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। କର୍ଣ୍ଣାଟକରେ ଏହି ସମୟ ମଧ୍ୟରେ ୪୪୬୩୧, କେରଳ ୩୭,୧୯୦, ଉତ୍ତରପ୍ରଦେଶ ୨୫,୭୭୦, ତାମିଲନାଡୁ ୨୧,୨୨୮ ଓ ଦିଲ୍ଲୀରେ ଏହି ସମୟ ମଧ୍ୟରେ ୧୯,୯୫୩ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିଲ୍ଲୀରେ ଗୋଟିଏ ଦିନରେ ୩୩୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Spread the love