ଉତ୍ତରପ୍ରଦେଶରେ ୩୧ ଯାଏଁ ପ୍ରଥମରୁ ୮ମ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମନା

ଲକ୍ଷ୍ନୌ : କିଛି ଦିନ ବ୍ୟବଧାନ ପରେ ଦେଶରେ ପୁଣି ବଢିବାରେ ଲାଗିଛି କରୋନା ସଂକ୍ରମଣ । ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ପୁଣି ଥରେ ବଢ଼ିଛି । ସଂକ୍ରମଣ ବୃଦ୍ଧିପାଉଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ତ୍ଵପୂର୍ଣ୍ଣ ବୈଠକ କରିଛନ୍ତି । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଲି ସମେତ ଅନ୍ୟ ପର୍ବ ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ସତର୍କତା ଓ ସଚେତନତା ପ୍ରତି ଦୃଷ୍ଟି ଦେଇଛନ୍ତି । ଏତଦ ବ୍ୟତୀତ ସେ ପ୍ରଥମ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ମାର୍ଚ୍ଚ ୨୪ରୁ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି ।

ଶିକ୍ଷାନୁଷ୍ଠାନ ସମେତ ଅନ୍ୟ ସ୍ଥାନମାନଙ୍କ ପାଇଁ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ରେଲଓ୍ବେ​‌ ଷ୍ଟେସନ ଏବଂ ବିମାନରେ ଆସୁଥିବା ଯାତ୍ରୀମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଉ ଏବଂ ଅଧିକ ଲକ୍ଷଣ ଦେଖାଯାଉଥିଲେ ଆରଟିପିଚିଆର ଟେଷ୍ଟ କରାଯିବାକୁ ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଉତ୍ତର ପ୍ରଦେଶ ସ୍ବାସ୍ଥ୍ୟ ନିର୍ଦେଶକ ଜି. ଏସ୍‌. ନେଗୀ କହିଛନ୍ତି, ଅନ୍ୟ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷ କରି ରେଲଓ୍ବେ ଷ୍ଟେସନ୍, ଏୟାରପୋର୍ଟ ଆସୁଥିବା ଯାତ୍ରୀମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ସେମାନଙ୍କ କରୋନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

Spread the love