ଟ୍ୱିନ୍ ସିଟିରେ କଡାକଡି ହେବ ଯାଂଚ : ସିପି

ଭୁବନେଶ୍ୱର : ଶନିବାର ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ଆରମ୍ଭ ହେବ ସପ୍ତାହାନ୍ତ ଶଟ୍ ଡାଉନ୍ । ଉଭୟ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟ୍ ଡାଉନ୍ ସମୟରେ ଭୁବନେଶ୍ୱର – କଟକ ଟ୍ୱିନ୍ ସିଟିରେ କଡାକଡି ଯାଂଚ କରାଯିବ ବୋଲି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ସେ କହିଛନ୍ତି ଯେ ଟ୍ୱିନ୍ ସିଟିର ମୋଟ ୬୮ଟି ପଏଂଟରେ ଯାଂଚ କରାଯିବ । କଟକର ୨୫ ଓ ଭୁବନେଶ୍ୱରର ୪୩ଟି ସ୍ଥାନରେ ଚେକିଂ ପଏଂଟ ରହିବ । କଟକରେ ୧୨ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦୦ ଅଫିସର ଏବଂ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୫୦ ଅଫିସର ନିୟୋଜିତ ହେବେ । ନାକା ପଏଂଟ ଗୁଡିକରେ ଲୋକମାନଙ୍କୁ ଯାଂଚ କରାଯିବ । ଜରୁରୀ ସେବା ସହ ଜଡିତ ଲୋକମାନଙ୍କ ଯାତାୟତ ସୁବିଧା କରାଯିବ । ଜରୁରୀ ସେବାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ କୌଣସି ପାସ୍ ର ବ୍ୟବସ୍ଥା ନାହିଁ । ନିଜ ରସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ସେମାନେ ଯିବା ଆସିବା କରିପାରିବେ ।

ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ । କଣ ପାଇଁ ବୁଲୁଛନ୍ତି, କାହିଁକି ବାହାରକୁ ବାହାରିଛନ୍ତି ପଚରାଯିବ । ସମସ୍ତଙ୍କୁ କଟକଣା ପାଳନ କରିବାକୁ ପୋଲିସ୍ କମିଶନର ନିବେଦନ କରିବା ସହ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Spread the love