ଧୋନୀଙ୍କ ନୂଆ ଲୁକ୍: ବୌଦ୍ଧ ଭିକ୍ଷୁ ଅବତାରରେ ଭାଇରାଲ୍ ହେଉଛି ଫଟୋ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ ସିଜନ-୧୪ ପାଇଁ ଅଭ୍ୟାସ କରୁଛନ୍ତି। ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନଙ୍କ ନେଟ୍ ପ୍ରାକ୍ଟିସ୍ ଭିଡିଓ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଧୋନୀଙ୍କ ଆଉ ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ଧୋନୀଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକ ଚିନ୍ତିତ ହୋଇପଡିଛନ୍ତି। ଏହି ଫଟୋରେ ଧୋନୀ ବୌଦ୍ଧ ଭିକ୍ଷୁ ଭଳି ନଜର ଆସିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଧୋନୀ ଆଇପିଏଲ ପୂର୍ବରୁ ସାଂସାରିକ ମହାମାୟା ଛାଡି ସନ୍ୟାସ ନେଇଛନ୍ତି କି ? ଧୋନୀଙ୍କ ଏହି ଫଟୋ ସ୍ତର ସ୍ପୋର୍ଟ୍ସ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଫଟୋରେ ସେ ଲଣ୍ଡା ହୋଇ ବୌଦ୍ଧ ଭିକ୍ଷୁଙ୍କ ଭଳି ପୋଷାକ ପିନ୍ଧି ଜଙ୍ଗଲରେ ବସିଛନ୍ତି। ଧୋନୀଙ୍କ ଏହି ଫଟୋ ଦେଖି ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି। ତେବେ ଏବେଯାଏଁ ଏହା ସ୍ପଷ୍ଟ ହୋଇନାହିଁ ଯେ ଧୋନୀ ସତରେ ଲଣ୍ଡା ହୋଇଛନ୍ତି ନା ନାହିଁ। କିନ୍ତୁ ସେ କୌଣସି ବିଜ୍ଞାପନ ପାଇଁ ଏହି ଫଟୋ ଉଠାଇଥିବା ଅନୁମାନ କରାଯାଉଛି। କାରଣ ଧୋନୀ ବର୍ତ୍ତମାନ ଆଇପିଏଲ୍ ପ୍ରସ୍ତୁତିରେ ଲାଗିଛନ୍ତି ଓ ସେ ଏଥର ବି ସିଏସକେର କ୍ୟାପଟେନ୍ ଅଛନ୍ତି। ଧୋନୀଙ୍କ ଏକ ପ୍ରାକ୍ଟିସ୍ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ପୁରୁଣା ଅନ୍ଦାଜରେ ବ୍ୟାଟିଂ କରୁଥିବା ନଜର ଆସିଥିଲେ।

ସୂଚନା ଯେ, ଆଇପିଏଲ୍ ୨୦୨୧ର ପ୍ରଥମ ମ୍ୟାଚ୍ ଏପ୍ରିଲ ୯ ତାରିଖରେ ମୁମ୍ବାଇ ଇଂଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର୍ କିଙ୍ଗ୍ସ ଏପ୍ରିଲ ୧୦ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଖେଳିବ। ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଧୋନୀ ଇନ୍ଟରନ୍ୟାଶନାଲ୍ କ୍ରିକେଟରୁ ସନ୍ୟାସ ନେଇଥିଲେ। ୨୦୨୦ ଆଇପିଏଲରେ ଧୋନୀ ଭଲ ପ୍ରଦର୍ଶନ କରିନଥିଲେ। ଆଇପିଏଲ୍-୧୩ ରେ ଧୋନୀ ୧୪ଟି ମ୍ୟାଚରେ ୨୦୦ ରନ୍ କରିଥିଲେ। ଏମଏସ ଧୋନୀଙ୍କ କ୍ୟାପିଟେନ୍ସିରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୩ଥର ଆଇପିଏଲ ଜିତିଛି। କିନ୍ତୁ ଆଇପିଏଲ୍ ୨୦୨୦ରେ ସିଏସକେର ପ୍ରଦର୍ଶନ ଭଲ ନଥିଲା। ଆଇପିଏଲ୍ ଇତିହାସରେ ପ୍ରଥମଥର ପାଇଁ ଚେନ୍ନାଇ ପ୍ଲେ ଅଫରେ ପହଞ୍ଚି ପାରିନଥିଲା।

Spread the love