ଟିକାକରଣ ବୃଦ୍ଧି ସହ କୋଭିଡ-୧୯ ନିୟମ ପାଳନ ଆବଶ୍ୟକ : ନଚେତ ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହର ଆଶଙ୍କା!

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ସହିତ ଲଢ଼େଇ ଜାରି ରଖିଥିବା ଭାରତରେ ସଂକ୍ରମଣର ତୃତୀୟ ଲହର ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । କୁହାଯାଇଛି ଯେ, ଯଦି ଦେଶରେ କରୋନା ଟିକାକରଣ ପ୍ରକ୍ରିୟାକୁ ତୀବ୍ର କରାନଯାଇଛି, ତା’ହେଲେ ୬ରୁ ୮ ମାସ ଭିତରେ କରୋନାର ତୃତୀୟ ଲହର ଆସିଯାଇପାରେ । ବୈଜ୍ଞାନିକମାନେ କରୋନା ଗାଇଡଲାଇନ୍‌କୁ ଠିକ ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଭାଇରସକୁ ନେଇ ପୂର୍ବାନୁମାନ ପାଇଁ ଗଣିତର ବ୍ୟବହାର କରାଯାଇଥିବା ଫମ୍ୟୁଲା ମଡେଲ ସହିତ ଜଡ଼ିତ ବୈଜ୍ଞାନିକ ଏମ୍ ବିଦ୍ୟାସାଗର କହିଛନ୍ତି ଯେ, ଦେଶରେ ଟିକାକରଣ ଅଭିଯାନ ତୀବ୍ର କରାଯାଇ ପାରି ନାହିଁ ଏବଂ କୋଭିଡ-୧୯ରୁ ବର୍ତ୍ତିବା ପାଇଁ ଆବଶ୍ୟକ ନିୟମକୁ ମଧ୍ୟ ଉଲ୍ଲଂଘନ କରାଯାଉଥିବା ନଜର ରହିଛି । ସେହିପରି ସୂତ୍ର ମଡେଲରେ କୌଣସି ୩ୟ ଲହରର ଆଶଙ୍କା କରି ନାହିଁ । ଏହାରି ଉପରେ କାମ ଚାଲିଛି ।  ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସଗାରଙ୍କ କହିବା ଅନୁସାରେ ଯଦି ଆଣ୍ଟିବଡ଼ି ଶେଷ ହୋଇଯାଏ, ପ୍ରତିରୋଧକ କ୍ଷମତା ହ୍ରାସ ପାଇବାର ଆଶଙ୍କା ରହିଛି । ତେଣୁ ଟିକାକରଣ ବଢ଼ାଯିବା ଉଚିତ ଏବଂ କୋଭିଡ-୧୯ ନିୟମ ପାଳନ ହେବା ଦରକାର । ଯଦି ଏହା ନହୁଏ, ତାହେଲେ ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହର ଆସିବାର ଆଶଙ୍କା ରହୁଛି ।

Spread the love