ଚୌଦ୍ୱାର ଜେଲ୍ ଗଲା ହାଇଦର

  • ଆଜିଠୁ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ମଙ୍ଗଳାବାଗ ପୋଲିସ୍

ଭୁବନେଶ୍ୱର : ୭ ଦିନିଆ ରିମାଣ୍ଡରେ ଯିବ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର । କଟକ ସିଟି ଜେଏମଏଫସି କୋର୍ଟ ଏହି ଅନୁମତି ଦେଇଛନ୍ତି । ଶନିବାରଠାରୁ ହାଇଦରକୁ ରିମାଣ୍ଡରେ ନେବ କଟକ ମଙ୍ଗଳାବାଗ ପୋଲିସ । ୧୦ ଦିନ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା । ଆବେଦନର ଶୁଣାଣି କରି କୋର୍ଟ ପୋଲିସ୍ କୁ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେବା ପରେ ହାଇଦରକୁ ଚୌଦ୍ୱାର ଜେଲ୍ କୁ ପଠାଇ ଦିଆଯାଇଛି । ଏପ୍ରିଲ ୧୦ ତାରିଖରେ କଟକ ଏସ୍‌ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍ ହାଇଦର । ୧୨୦ ଘଂଟାର ଅପରେସନ ପରେ ଶେଷରେ ଗୁରୁବାର ଧରାପଡ଼ିଥିଲା ହାଇଦର । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ତାକୁ ଗିରଫ କରିଥିଲା ।

ଏସସିବି ମେଡିକାଲ କଲେଜରୁ ଫେରାର ହୋଇ ଯାଇଥିବା ଅପରାଧୀ ହାଇଦରକୁ ଗୁରୁବାର ଦିନ ତେଲେଙ୍ଗାନାରୁ ଗିରଫ କରା ଯିବା ପରେ ଶୁକ୍ରବାର ତାକୁ ଓଡିଶା ଅଣା ଯାଇଥିଲା । ଗିରଫ କରିବା ମାତ୍ରେ ସେଠାକାର କୋର୍ଟରେ ହାଜର କରାଯାଇଥିଲା । ପରେ ଆଜି ତାକୁ ଓଡ଼ିଶା ଅଣାଯାଇ ବିମାନ ଯୋଗେ ଭୁବନେଶ୍ୱର ଓ ପରେ କମିଶନରେଟ ପୁଲିସର କଡ଼ା ସୁରକ୍ଷାରେ କଟକ ଅଣାଯାଇଥିଲା । ଆଜି ମେଡିକାଲ ପରୀକ୍ଷା ହେବା ପରେ ଅପରାଧୀକୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ସେ କଟକ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହାଇଦରକୁ ଧରିବା ପାଇଁ ୧୨୦ ଘଂଟାର ଅପରେସନ ଚଳା ଯାଇଥିଲା । ହାଇଦର ଫେରାର ଖବର ପାଇବା ମାତ୍ରେ ସଂଗେ ସଂଗେ କମିସନରେଟ ପୁଲିସ ତାକୁ ଧରିବାକୁ ଅପରେସନ ଆରମ୍ଭ କରି ଦେଇଥିଲା । ସେ କହିଛନ୍ତି ଯେ ହାଇଦରର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି କମିସନରେଟ ପୁଲିସ ଟିମ ଗଠନ କରିଥିଲା । ତେଲେଙ୍ଗାନା, ମହାରାଷ୍ଟ୍ରକୁ ଟିମ ଯାଇଥିଲା । ଏହାସହ ହାଇଦର ସହଯୋଗୀକୁ ଗିରଫ କରାଯାଇଥିଲା । ପୋଲିସ ଟିମ ୧୧ ଓ ୧୨ତାରିଖ ହାଇଦ୍ରାବାଦ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନାରେ ପହଂଚିଥିଲା । ସେ କହିଛନ୍ତି ଯେ କଟକ ଡିସିପିଙ୍କ ତତ୍ୱାବଧାନରେ ଟିମ ଗଠନ କରାଯାଇ କାର୍ଯ୍ୟକ୍ଷମ ହୋଇଥିଲା । ୧୩, ୧୪, ୧୬ ଏହି ତିନି ଦିନ ଅପରେସନରେ ବାଦାମବାଡ଼ି ଓ ଚାଉଳିଆଗଞ୍ଜ ଆଇଆଇସିଙ୍କ ମୁଖ୍ୟ ଭୂମିକା ରହିଥିଲା । ପରେ ଗତକାଲି କୁଖ୍ୟାତ ଅପରାଧୀ ହାଇଦର ଏକ ବାଇକରେ ଯାତାୟାତ କରୁଥିବା ସୂଚନା ମିଳିବା ମାତ୍ରେ ତାକୁ ଗିରଫ କରାଯାଇଥିଲା । ଏଥିରେ ତେଲେଙ୍ଗାନା ପୁଲିସର ବହୁ ସାହାଯ୍ୟ ମିଳିଥିଲା । ସେ କହିଛନ୍ତି ଯେ ଏହା ବାଦ ଏବେ ଏହି ମାମଲାରେ ୭ଜଣଙ୍କୁ ପଚରାଉଚରା ଚାଲିଛି ।

Spread the love