ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫% ସଂରକ୍ଷଣ

ଭୁବନେଶ୍ୱର : ମେଡିକାଲ ଓ ଇଂଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୧୫ ପ୍ରତିଶତ ସଂରକ୍ଷଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଏ ସଂପର୍କରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଡଃ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ କ୍ଷମତାପନ୍ନ କମିଟିର ସୁପାରିଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଉପସ୍ଥାପନ କରିବା ସହ ଓଡିଶା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚକ୍ଷମତାସଂପନ୍ନ କମିଟିର ସୁପାରିଶକୁ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ପରେ ଏହା ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସର୍ବଭାରତୀୟ ସ୍ତରରେ ନିଟ୍ ଏବଂ ଜେଇଇ ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଏହା ଛାତ୍ରଛାତ୍ରୀ ମାନଙ୍କର ମେଧାର ଅଭାବ ଯୋଗୁ ନୁହେଁ; ବରଂ ଏହିସବୁ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା କୋଚିଂ ସୁବିଧା ପାଇପାରି ନଥିବାରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ଏହିସବୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଯେଉଁ ସ୍ୱତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ ଏହି କୋଚିଂ ସେଂଟର ମାନଙ୍କରେ ହିଁ ଉପଲବ୍‌ଧ ହୋଇଥାଏ ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟ ଓଡିଶାର ସରକାରୀ ମେଡିକାଲ ଓ ଇଞିନିୟରିଂ କଲେଜ ମାନଙ୍କରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଉପଯୁକ୍ତ ସଂଖ୍ୟକ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ଗ୍ରହଣ କରିଛି ।ଏହି ଉଚ୍ଚକ୍ଷମତାପନ୍ନ କମିଟିର ନୁଧ୍ୟାନରୁ ଜଣାଯାଇଛି ଯେ ଓଡିଶାରେ ସରକାରୀ ସ୍କୁଲ ମାନଙ୍କରେ ପ୍ରାୟ ୮୬ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ରାଜ୍ୟ ମେଡିକାଲ କଲେଜରେ ସେମାନେ ୨୩ ପ୍ରତିଶତ ଏବଂ ଇଞ୍ଜିନିୟରିଂ କଲେଜରେ ୨୧ ପ୍ରତିଶତ ସିଟ୍‌ରେ ସ୍ଥାନ ପାଇପାରୁଛନ୍ତି । କିନ୍ତୁ ରାଜ୍ୟର ଘରୋଇ ସ୍କୁଲ ମାନଙ୍କରେ ମାତ୍ର ୧୨ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ସେମାନେ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ କଲେଜର ୬୦ ପ୍ରତିଶତ ସିଟ୍ ପାଉଛନ୍ତି । କୋଚିଂ ପ୍ରତିଷ୍ଠାନ ଗୁଡିକ ଯାହାକି ଜାତୀୟ ପ୍ରବେଶିକା ପରୀକ୍ଷା ଗୁଡିକରେ ସଫଳତା ଲାଭ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ସେଠାରେ ନାମ ଲେଖାଇବା ପାଇଁ ଆର୍ଥିକ ତଥା ପାରିପାର୍ଶ୍ୱିକ ସୁବିଧା ଅଭାବରୁ ଏଭଳି ବିଷମତା ସୃଷ୍ଟି ହେଉଛି । ଏହି ବିଷମତା ଦ୍ୱାରା ସଂଖ୍ୟାଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କମିଟି ସୁପାରିଶ କରିଛନ୍ତି ଯେ ରାଜ୍ୟର ସରକାରୀ ହାଇସ୍କୁଲ ମାନଙ୍କରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ । ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁ ସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ ।ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଓଡିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍‌ସ ( ରେଗୁଲେସନ ଅଫ ଆଡ୍‌ମିଶନ ଆଣ୍ଡ ଫିକ୍‌ସେସନ୍ ଅଫ ଫି) ଆକ୍ଟ, ୨୦୦୭ର ଧାରା ୯ ଅନୁଯାୟୀ ବିଜ୍ଞପ୍ତି ଜାରି କରିପାରିବେ । ଓଡିଶା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚକ୍ଷମତାସଂପନ୍ନ କମିଟିର ସୁପାରିଶକୁ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହା ରାଜ୍ୟର ମେଧାବୀ ଓ ବୁଦ୍ଧିମାନ ଛାତ୍ରଛାତ୍ରୀ ଯେଉଁମାନଙ୍କର କୋଟିଂ ପ୍ରତିଷ୍ଠାନ ଗୁଡିକରେ ପଢିବା ପାଇଁ ଆର୍ଥିକ ଏବଂ ପାରିପାର୍ଶ୍ୱିକ ସୁବିଧା ନାହିଁ, ସେମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Spread the love