ଆଜି ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ ଗୋନାସିକା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ଭୁବନେଶ୍ୱର : ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆରଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛି । ବିଭାଗ ପକ୍ଷରୁ ଭର୍ଚୁଆଲ ମୋଡ୍‌ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛି । ମଇ ୩୦ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍ ଓ ଟୁଇଟର ପେଜ୍ ଖୋଲି ଜୁଆଙ୍ଗମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆରଟିଆର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର ଆଦିମ ଜନଜାତିଙ୍କ ମଧ୍ୟରେ ଜୁଆଙ୍ଗ ଅନ୍ୟତମ । ମୁଖ୍ୟତଃ ସେମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥା’ନ୍ତି । ସେମାନେ କୃଷି, ପୋଡ଼ୁଚାଷ, ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି । ଅତୀତରେ ସେମାନେ ପତ୍ର ପରିଧାନ କରୁଥିବାରୁ ସେମାନଙ୍କୁ ‘ପାଟୁଆ’ କୁହାଯାଉଥିଲା । ଦୁଇ ପ୍ରକାରର ଜୁଆଙ୍ଗଙ୍କ ମଧ୍ୟରେ ପାହାଡ଼ି ଜୁଆଙ୍ଗମାନେ କେଉଁଝର ଓ ପାଲଲହଡ଼ାର ପାର୍ବତ୍ୟାଂଚଳରେ ରହୁଥିବାବେଳେ ଅନ୍ୟମାନେ ଢେଙ୍କାନାଳ ଓ କେଉଁଝର ଜିଲ୍ଲାର ସମତଳ ଅଂଚଳରେ ବାସ କରିଥା’ନ୍ତି । ପାର୍ବତ୍ୟାଂଚଳରେ ରହୁଥିବା ଜୁଆଙ୍ଗମାନେ ଏବେ ମଧ୍ୟ ପୋଡ଼ୁଚାଷ କରୁଥିବାବେଳେ ସମତଳିଆ ଅଂଚଳରେ ବାସ କରୁଥିବା ଜୁଆଙ୍ଗମାନେ ବିଶେଷତଃ କୃଷି ଉପରେ ନିର୍ଭରଶୀଳ । କେଉଁଝରର ଗୋନାସିକା ପର୍ବତମାଳାର ଜୁଆଙ୍ଗ ‘ପିଢ଼’କୁ ଏହି ଜନଜାତି ସେମାନଙ୍କର ଜନ୍ମଭୂମି ଭାବେ ଗ୍ରହଣ କରିଥା’ନ୍ତି । ଏହି ଅଂଚଳର ଜୁଆଙ୍ଗ ଥାନିଆ (ମୂଳ ଅଧିବାସୀ) ନାମରେ ନାମିତ । ଯେଉଁ ଜୁଆଙ୍ଗ ଜନଜାତିମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବାସ କରୁଛନ୍ତି ସେମାନେ ‘ଭାଗୁଡ଼ିଆ’ ନାମରେ ପରିଚିତ । ଜୁଆଙ୍ଗ ‘ପିଢ଼’କୁ ୪ଟି ଭାଗ ଯଥା ସାତଖଣ୍ଡ, ଝାରଖଣ୍ଡ, କାଠୁଆ ଓ ରେବେନା ଭାବେ ବିଭକ୍ତ କରାଯାଇଥାଏ । ପ୍ରତ୍ୟେକ ‘ପୀଢ଼’ ଜଣେ ମୁଖ୍ୟ ସର୍ଦ୍ଦାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଜୁଆଙ୍ଗ ସମାଜର ମୁଖ୍ୟ ହେଉଛି ସେମାନଙ୍କର ପାରମ୍ପରିକ ଡରମିଟୋରୀ, ମଜାଙ୍ଗ କିମ୍ବା ମନ୍ଦାଘର । ମଜାଙ୍ଗ ସମ୍ମୁଖରେ ଯୁବକ ଓ ଯୁବତୀମାନେ ନୃତ୍ୟ, ଗୀତ ପରିବେଷଣ କରିଥା’ନ୍ତି । ‘ମଜାଙ୍ଗ’ ହେଉଛି ଏକ ଚତୁର୍ଭୂଜାକାର ଗୃହ, ଯାହାକି ଗ୍ରାମର କେନ୍ଦ୍ର ଭାଗରେ ରହିଥାଏ । ଏହା ଯୁବକଯୁବତୀଙ୍କ ନିମନ୍ତେ କମ୍ୟୁନିଟି ହାଉସ୍‌, ବୟସ୍କଙ୍କ ନିମନ୍ତେ କୋର୍ଟହଉସ୍ ଭାବେ କାର୍ଯ୍ୟ କରିବା ସହିତ ଏଠାରେ ସର୍ବ ସାଧାରଣଙ୍କ ନିମନ୍ତେ ଶସ୍ୟ ଗଚ୍ଛିତ ରଖାଯାଇଥାଏ ।

Spread the love