ଆଜିଠୁ ତାତି କମିବ, ୬ରୁ ପୁଣି ବଢ଼ିବ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ତାତି । ତାତିରୁ କିଛିଟା ମିଳିବ ତ୍ରାହି । ବର୍ତ୍ତମାନ ତୁଳନାରେ ପ୍ରାୟ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ପାରଦ ଖସିବ । ବାୟୁର ଦିଗ ପରିବର୍ତ୍ତନ ଯୋଗୁ ରାଜ୍ୟର ପାରଦ ନିମ୍ନଗାମୀ ହେବ। ୨ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ର ତାପମାତ୍ରାରେ ହ୍ରାସ ଘଟିବ। ଏଥିସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଯୋଗୁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଯଦିଓ ରାଜ୍ୟରେ ଗରମ କମିବ, ତେବେ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ଯୋଗୁ ଗୁଳୁଗୁଳି ବଢ଼ିବ । ଲଗାତର ଗ୍ରୀଷ୍ମ ପ୍ରକୋପରେ ସିଝୁଥିବା ଓଡ଼ିଶାରେ ଗୁରୁବାର ତାତି ପ୍ରକୋପ ସାମାନ୍ୟ କମିଥିଲା । ଯଦିଓ ରାଜ୍ୟର ୧୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା, ତଥାପି କୌଣସି ଅଞ୍ଚଳ ୪୩ ଡିଗ୍ରୀ ଛୁଇଁନଥିଲା । ଦିନକ ତଳେ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଥିଲା ।

ଗୁରୁବାର ସର୍ବାଧିକ ତାପମାତ୍ରା ଅନୁଗୋଳ ଏବଂ ତାଳଚେରରେ ୪୨.୭ ଡିଗ୍ରୀ ରହିଛି। ବାରିପଦା, ପାରଳାଖେମୁଣ୍ଡି ଓ ଟିଟିଲାଗଡରେ ୪୨.୨, ମାଲକାନଗିରି ଓ ବୌଦ୍ଧରେ ୪୨, ନୟାଗଡରେ ୪୧.୭, ଭବାନୀପାଟଣାରେ ୪୧.୬ ସୁନ୍ଦରଗଡରେ ୪୧.୫, ସମ୍ବଲପୁରରେ ୪୧.୪, ଝାରସୁଗୁଡାରେ ୪୦.୬, ହୀରାକୁଦରେ ୪୦.୭, ଫୁଲବାଣୀରେ ୪୦ ଏବଂ ସୋନପୁରରେ ୪୦.୮ ସହ ଭୁବନେଶ୍ବରରେ ୩୯.୮ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତାକାଲିଠାରୁ ଦିନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଶୁକ୍ରବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, ପୁରୀ, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବ। ବଜ୍ରପାତ ଏବଂ ବର୍ଷାକୁ ଲକ୍ଷ୍ୟକରି ପାଣିପାଗ ବିଭାଗ ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଜିଲାରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦କିମି ରହିବ। କାଳବୈଶାଖୀ ପାଇଁ ସତର୍କ ରହିବାକୁ ଏସ୍‌ଆରସି ଉପରୋକ୍ତ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାକୁ ପଶ୍ଚିମା ପବନ ଆସିବନି । ଉତ୍ତର ଓଡ଼ିଶାକୁ ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଉତ୍ତରା ପବନ ଆସିବ । ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳକୁ ସାମୁଦ୍ରିକ ପବନ ବହିବ । ଫଳରେ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ତାତି କମିବ । ପଶ୍ଚିମ ସୀମାନ୍ତ ଜିଲ୍ଲା ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ କିମ୍ବା ପ୍ରାୟତଃ ଅପରିବର୍ତ୍ତିତ ରହିବ । ୬ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଗରମ ବଢ଼ିବା ସମ୍ଭାବନା ଅଛି । ସମ୍ଭବତଃ ଭୁବନେଶ୍ୱର ତାପମାତ୍ରା ଶୁକ୍ରବାର ୩୭ ଡିଗ୍ରୀ ସେଲସିୟସ୍‌ ହୋଇପାରେ । ୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ୨ରୁ ୬ ତାରିଖ ଭିତରେ ଉପକୂଳ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଛି । କେନ୍ଦ୍ରୀୟ ଓ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ଅଧିକ । ଭୁବନେଶ୍ୱରରେ ୩ ଓ ୪ ତାରିଖରେ କୁଆପଥର ବର୍ଷା ହୋଇପାରେ । ସେହିପରି ବର୍ତ୍ତମାନ ଉପକୂଳ ଓଡ଼ିଶାକୁ ସାମୁଦ୍ରିକ ପବନ ପ୍ରବାହ ବଢ଼ିବ । ଏଥିଯୋଗୁ ଯଦିଓ ଗରମ କମିବ, ତେବେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବା ଯୋଗୁ ଗୁଳୁଗୁଳି ପ୍ରକୋପ ବଢ଼ିବ ।

Spread the love