ସରିଲା ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ଶେଷ । ବାପା ଘରେ ୧୧ ଦିନର ରହଣି ପରେ ଶାଶୁ ଘରକୁ ଫେରିଛନ୍ତି ମାଆ ସାଆନ୍ତାଣୀ । ଚଳିତ ଥର ନିଆରା ଯାତ୍ରା ଦେଖିବାକୁ ମିଳିଥିଲା । ଏବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାରମ୍ପାରିକ ରୀତିନୀତିରେ ବାପା ଘରୁ ବିଦାୟ ନେଇଛନ୍ତି ମାଆ । ଏକ ପଟୁଆରରେ ମାଆଙ୍କୁ ବିଦାୟ ଦେଇଛନ୍ତି ବାପା । ନିୟମ ଅନୁସାରେ ମାଆଙ୍କ ବିଦାୟ ବେଳେ ସାଥିରେ ଯୌତୁକ ଭାର ଯାଇଥାଏ । ସେହି ପରମ୍ପରାକୁ ବଜାୟ ରଖି ମାଙ୍କ ସାଥିରେ ଯୌତୁକ ମଧ୍ୟ ପଠାଯାଇଥିଲା। ମାଆ ରାଜ ଦର୍ଶନ କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି ମହୁରୀ ରାଜା ।

ବିଧି ଅନୁସାରେ ଶହସ୍ରାଧିକ ମାନସିକଧାରୀ ଘଟ ଯାତ୍ରା ହେବା ପରମ୍ପରା ଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ଚଳିତ ଥର ଘଟ ଯାତ୍ରା ବନ୍ଦ ରଖାଯାଇଥିଲା । ରୀତିନୀତି ଅନୁସାରେ ମୁଖ୍ୟ ଘଟ ସହ ଆଠଟି ପାର୍ଶ୍ବ ଘଟ ମାଆଙ୍କ ସହ ପରିକ୍ରମା କରିଥିଲେ । ୧୪୪ ଧାରା ଓ କଡା କଟକଣା ମଧ୍ୟରେ ମାଆ ସାଆନ୍ତାଣୀ ଶାଶୁ ଘରକୁ ଫେରିଛନ୍ତି । ନିୟମ ଅନୁସାରେ ମାଆ, ମାଉସିମା ଘର ଦର୍ଶନ କରି ଶାଶୁ ଘରକୁ ଫେରିଛନ୍ତି । ଯାତ୍ରା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ଯାପକ ପୁଲିସ୍ ମୁତୟନ କରାଯାଇଥିବା ବେଳେ ସୁରୁଖୁରୁରେ ଯାତ୍ରା ସଂପନ୍ନ ହୋଇଛି ।ମାଆଙ୍କ ଆଗମନ ପାଇଁ ପୁଣି ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ ।

Spread the love