ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା : ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ ଓ ୩ ଜଣ ଗୁରୁତର । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଦନ୍ତା ଉତ୍ପାତ । ସମସ୍ତ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି ।

ସୂଚନା ଯେ, ଶନିବାର ଭୋର ୪ଟା ସମୟରେ ଧଉଳିମୁହଁ ପଞ୍ଚାୟତ ଅଧୀନସ୍ଥ ରାମଚଣ୍ଡୀ ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳାଜଣକ ହେଲେ ରାମଚଣ୍ଡୀ ତଳସାହିର ମଞ୍ଜୁଲତା ବେହେରା(୫୦)। ମଞ୍ଜୁଲତା ପୋଖରୀକୁ ଗାଧୋଇ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡ଼ା ଏହି ଘଟଣାରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଖୋର୍ଦ୍ଧା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଫରେଷ୍ଟର ସିଧୁ ସିଂହ ସୂଚନା ଦେଇଛନ୍ତି ।

Spread the love