ଲକ୍‌ଡାଉନକୁ ବୃଦ୍ଧି ଯୋଗୁଁ ଆଜି ଠାରୁ ଆସନ୍ତା ୩୧ପର୍ଯ୍ୟନ୍ତ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ସମ୍ବଲପୁର : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନକୁ ବୃଦ୍ଧି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ୨୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନ ମାନଙ୍କରେ ମାଁ ସମଲେଶ୍ୱରୀଙ୍କ ନୀତିକାନ୍ତି ତଥା ଦୈନନ୍ଦିନ ପୂଜାର୍ଚନା ବିଧି ନିର୍ଘଣ୍ଟ ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି। ତେବେ ଭକ୍ତମାନେ ପୂର୍ବଭଳି ନିୟମିତ ସାମାଜିକ ଗଣମାଧ୍ୟମରେ ମା’ଙ୍କ ପ୍ରାତଃ ଦର୍ଶନ ତଥା ସଂଧ୍ୟାରେ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍ ଲାଇଭ୍ ଜରିଆରେ ମା’ଙ୍କ ସାଂଧ୍ୟ ଆଳତି ଦର୍ଶନ କରିପାରିବେ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ କହିଛନ୍ତି।

ସୂଚନା ଯେ, ସପ୍ତାହାନ୍ତ ଦୁଇଦିନିଆ ବନ୍ଦ ଓ ତାଲାବନ୍ଦ ଘୋଷଣା ହେବା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ସେହିପରି ଗତବର୍ଷ କରୋନା ସଂକ୍ରମଣ ବୃଦ୍ଧି ପାଇବାପରେ ମାର୍ଚ୍ଚ ୨୩, ୨୦୨୦ରେ ମା’ ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇଥିଲା। ଏହି ସମୟରୁ ଆଭାସି ଜରିଆରେ ଭକ୍ତମାନେ ଫେସବୁକ୍‌ରେ ମା’ଙ୍କ ଦର୍ଶନ କରି ଆସୁଛନ୍ତି। ପୁଣି ଚଳିତବର୍ଷ ଜାନୁଆରୀ ୩ ତାରିଖରେ କୋଭିଡ ନିର୍ଦେଶନାମାରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ବିଶ୍ୱ କଲ୍ୟାଣ ଓ କରୋନାରୁ ମୁକ୍ତି ପାଇଁ ଆସନ୍ତା ୨୬ ତାରିଖରେ ପୂଜକ ମାନଙ୍କ ପକ୍ଷରୁ ସ୍ବତନ୍ତ୍ର ହୋମଯଜ୍ଞ ଓ ୧୦୮ ଆହୂତି କରାଯିବ ବୋଲି ଜଣାପଡ଼ିଛି।

Spread the love