କୋଭିଡ କଟକଣା ସତ୍ତ୍ୱେ ବୁଢୀ ଠାକୁରାଣୀ ଯାତ୍ରାରେ କରୋନା

ବ୍ରହ୍ମପୁର : କୋଭିଡ କଟକଣା ସତ୍ତ୍ୱେ ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ । ମା’ ବୁଢୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପର ଦୁଇ ଜଣ ପୂଜକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଯାତ୍ରାସ୍ଥଳ ଦେଶିବେହେରା ସାହିକୁ ସିଲ୍ କଲା କରିଛି ପ୍ରଶାସନ । ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ଦର୍ଶନ ବନ୍ଦ ରଖାଯାଇଛି । ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଇଛି ଜିଲ୍ଲା ପ୍ରଶାସନ । ମା’ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପର ଚତୁପାର୍ଶ୍ୱକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଆଗକୁ ପରିସ୍ଥିତି ବିଗିଡିଲେ ପୁରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସମ୍ଭାବନା ଅଛି । ଏବେ ଲୋକଙ୍କ ମଧ୍ୟରେ ଭାଇରସକୁ ନେଇ ପୂରା ଭୟ ସୃଷ୍ଟି ହୋଇଛି ।

ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ପୀଠର ଦୁଇ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ଠାକୁରାଣୀଙ୍କ ଯାତ୍ରାସ୍ଥଳ ଦେଶୀବେହେରା ସାହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। କେବଳ ନୀତିକାନ୍ତି ବ୍ୟତିତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଆଜି ରାତିରେ ବ୍ରହ୍ମପୁର ଉପଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜି ଠାରୁ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କୌଣସି ଭକ୍ତ ମା’ଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଦେଶୀବେହେରା ସାହି ଅଞ୍ଚଳର ଉଭୟ ପଟୁ ବ୍ୟାରିକେଡିଂ ବ୍ୟବସ୍ଥା କରି ଅସ୍ଥାୟୀ ମଣ୍ଡପରେ ମାତ୍ର ୧୦ ଜଣ ପୂଜକ ଓ ସେବାୟତଙ୍କୁ ନେଇ ପାରମ୍ପରିକ ପୂଜା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। କେବଳ ସାହିବାସିନ୍ଦା ନିଜ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ। ଅସ୍ଥାୟୀ ମଣ୍ଡପର ତିନି ପାର୍ଶ୍ବ ଆବଦ୍ଧ କରାଯିବା ସହ ସମ୍ମୁଖ ଭାଗ ମଧ୍ୟ ବନ୍ଦ ରହିବ। ଆସନ୍ତା ୧୬ତାରିଖରେ ଯାତ୍ରାର ଶେଷ ଦିନରେ ମା’ ଅସ୍ଥାୟୀ ମନ୍ଦିରରୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ସମ୍ପୂର୍ଣ୍ଣ ଫେରନ୍ତା ବାଟରେ ୧୪୪ଧାରା ଜାରି କରାଯିବ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

Spread the love