ବାତ୍ୟା ‘ୟାସ୍’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା କ୍ଷୀଣ

ଭୁବନେଶ୍ୱର : ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ‘ୟାସ୍’ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ। ମାତ୍ର ଏହା ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା କ୍ଷୀଣ। ଏହା ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳକୁ ମୁହାଁଇପାରେ। ସ୍ପଷ୍ଟ ଭାବେ ନ କହିଲେ ମଧ୍ୟ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ସଙ୍କେତ ଦେଇଛି। ଅନ୍ୟ ପାଣିପାଗ ସଂସ୍ଥାମାନେ ମଧ୍ୟ ଅନୁରୂପ ପୂର୍ବାନୁମାନ ଆରମ୍ଭ କଲେଣି। ହେଲେ ସ୍ଥଳଭାଗକୁ ଛୁଇଁବା ବେଳକୁ ‘ୟାସ୍’ ଭୀଷଣ ବାତ୍ୟା ରୂପ ନେଇସାରିଥିବ ଓ ପବନର ବେଗ ଘଣ୍ଟାପ୍ରତି ୧୪୫ରୁ ୧୬୫ କିଲୋମିଟର ଥିବ। ଏହା ୧୮୫ କିଲୋମିଟର ବେଗରେ ମଧ୍ୟ ଝଟ୍‌କା ଦେଇପାରେ। ଏହା ସତ୍ତ୍ବେ ଉତ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ବଡ଼ ପ୍ରଭାବ ପଡ଼ିବ। ଏପରିକି ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ପବନର ବେଗ ୯୦ରୁ ୧୦୦ ଏବଂ ସ୍ଥଳ ବିଶେଷରେ ୧୧୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହି ବାତ୍ୟା ସହିତ ଭୀଷଣ ବର୍ଷା ଆସୁଥିବା ପରିପ୍ରେକ୍ଷୀରେ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର ‘ସମ୍ବାଦ’କୁ କହିଛନ୍ତି, ଯେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ଆରମ୍ଭ କରିଛି। ଆସନ୍ତାକାଲି ସକା​ଳେ ଅବପାତ ରୂପ ନେବ। ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖରେ ବାତ୍ୟା ରୂପ ନେବ। କ୍ଷେତ୍ର ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ ପରବର୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଓ ଅତି ତୀବ୍ର ବା ସିଭିୟର ସାଇକ୍ଲୋନରେ ରୂପ ନେଇପାରେ। ୨୬ ତାରିଖ ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ରୂପରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ବା ବାଂଲାଦେଶ ଉପକୂଳ ମଧ୍ୟରେ ଏହା ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ରୁ ୨୭ ପର୍ଯ୍ୟନ୍ତ ଭୀଷଣ ଅଶାନ୍ତ ରହିବ। ୨୪ ତାରିଖରୁ ଓଡ଼ିଶା ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହେବ। ସନ୍ଧ୍ୟାରୁ ଉତ୍ତର ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ। ୨୫ ତାରିଖରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ସ୍ଥଳବିଶେଷରେ ୭୦ କିଲୋମିଟରକୁ ଛୁଇଁପାରେ। ୨୬ ତାରିଖରେ ସବୁଠାରୁ ବଡ଼ ପବନ ରହିବ ଏବଂ ସକାଳ ସୁଦ୍ଧା ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହେବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ବଢ଼ିବ। ସେହିଭଳି ୨୫ ଓ ୨୬ ତାରିଖରେ ଉପକୂଳରେ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଅବପାତ ପରେ କେଉଁ ଦିଗରେ ବାତ୍ୟା ଯିବ, ନିର୍ଦିଷ୍ଟ କେଉଁଠି ଛୁଇଁବ, ପବନର ବେଗ କେତେ ରହିବ, କେଉଁ ଅଞ୍ଚଳରେ ବେଶି ବର୍ଷା ଏବଂ କେଉଁଠି କମ୍ ବର୍ଷା ହେବ,ସେସବୁ ନିରୂପଣ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ସ୍ଥଳଭାଗକୁ ଛୁଇଁପାରେ ବୋଲି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରୁଛି।

ଆଇଏମ୍‌ଡି ୨୫ ଓ ୨୬ ତାରିଖ ଲାଗି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଧା ଓ ମୟୂରଭଂଜ ପାଇଁ ୟେଲୋ ଵାର୍ଣ୍ଣିଂ ଜାରି କରିଛି। ଅର୍ଥାତ୍ ଏସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିଭଳି ୨୬ ତାରିଖ ସକାଳଠାରୁ ୨୭ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ ଓ କେନ୍ଦୁଝରରେ ଭୀଷଣ ବର୍ଷା ହେବ ଓ ବାଲେଶ୍ୱର ଏବଂ ମୟୂରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିଦିନ ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡରେ ମଧ୍ୟ ଭାରି ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଗତ ପାଞ୍ଚ ଦିନ ଭିତରେ ବିଭିନ୍ନ ପାଣିପାଗ ମଡେଲ ଆକଳନ ପରିବର୍ତ୍ତନ ହୋଇ ଆଜି ପ୍ରାୟ ସମାନତା ଆସିଛି। ଆଇଏଚ୍‌ଡିଏଫ୍‌ଏସ୍ କହୁଛି, ଏହା ବାଂଲାଦେଶକୁ ମୁହାଁଇବ। ଏନ୍‌ସିଇପିର ଜିଏଫ୍‌ଏସ୍ କହୁଛି, ଏହା ପଶ୍ଚିମବଙ୍ଗରେ ମାଡ଼ ହୋଇପାରେ। ଇସିଏମ୍‌ଡବ୍ଲୁଏଫ୍ ମଧ୍ୟ ସମାନ କଥା କହୁଛି। ଆଜି ଆଇଏମ୍‌ଡ଼ି ଆକଳନରେ ମଧ୍ୟ ସମ୍ଭାବ୍ୟ ବାତ୍ୟା ଛୁଇଁବା ପରିଧିରେ ବାଂଲାଦେଶ ସାମିଲ ହୋଇଛି। ଏହା ସହିତ ଉପର ବାୟୁମଣ୍ଡଳରେ କେତେକ ଉପାଦାନରେ ପରିବର୍ତ୍ତନ ଆସିଛି। ୨୦୦ ମିଲିବାର ବାୟୁମଣ୍ଡଳ​ରେ ୨୩ ତାରିଖରେ ବାୟୁ ଅବପାତ ଠାରୁ ଉତ୍ତର-ଉତ୍ତର-ପଶ୍ଚିମ ଆଡ଼େ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ।ଏହି ଦିଗରେ ଗତି କରିବା ପାଇଁ ସ୍ଥଳ ଭାଗରେ ବାୟୁର ଚାପ ମଧ୍ୟ ଅନୁକୂଳ ରହିବ। ଆକଳନ କରାଯାଇଛି, ସମ୍ଭବତଃ ଚବିଶ ପ୍ରଗଣା ସଂଲଗ୍ନ ମେଦିନୀପୁର ଓ ବାଂଲାଦେଶର ସୁନ୍ଦରବଣ ‘ୟାସ୍’ ମୁହାଁଇବ। ଏହା ହେଉଛି ଆଜିର ଆକଳନ। ଆସନ୍ତା ୩ ଦିନରେ ଏହା ପୁଣି ପରିବର୍ତ୍ତନ ହୋଇପାରେ। ଉପର ଆକଳନକୁ ବିଚାରକୁ ନିଆଗଲେ, ଓଡ଼ିଶାରେ ପ୍ରଭାବ କମ୍ ରହିବ। ବାଲେଶ୍ବର, ମୟୂରଭଂଜ, ଭଦ୍ରକରେ ଉଭୟ ପବନ ଏବଂ ଭାରି ବର୍ଷାର ପ୍ରଭାବ ପଡ଼ିବ। ବାତ୍ୟାର କେନ୍ଦ୍ରରେ ଚାପ ୯୭୮ ମିଲିବାର ଆକଳନ ହେତୁ, ଅତି ଭୀଷଣ ବାତ୍ୟା ସମ୍ଭାବନାକୁ ଏଡ଼ାଇ ହେବନାହିଁ। ପୁରୀ ଠାରୁ ଉତ୍ତରରେ ଥିବା ସମସ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାସହିତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହେବ। ୨୫ ଓ ୨୬ରେ ଉପକୂଳ ଜିଲ୍ଲା ଏବଂ ୨୬ ଏବଂ ୨୭ରେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷା ହେବ।

Spread the love