ସମ୍ଭାବ୍ୟ ବାତ୍ୟା ମୁକାବିଲା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନ ହେବାକୁ ପରାମର୍ଶ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ୟାସ୍ କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ତଳିଆ ଅଂଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର କରିବା ଏବଂ ଜିଲ୍ଲାପାଳ ଓ ଏସ୍‌.ପି ମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବେ । ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍‌ସିଜେନ ଯୋଗାଣରେ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ ଦିନ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ୟାସର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତମାନ ସୁଦ୍ଧା ଏହାର ଗତିପଥ ଠିକ୍ ଭାବରେ ନିର୍ଣ୍ଣୟ ହୋଇନାହିଁ । ତେଣୁ ଆମର ସମସ୍ତ ଉପକୂଳବର୍ତୀ ଓ ଏହାର ଆଖପାଖ ଜିଲ୍ଲା ଗୁଡିକ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହି ପ୍ରବଳ ବର୍ଷା ଓ ପବନ ପାଇଁଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଓଡ୍ରାଫ୍ , ଏନଡିଆରଏଫ୍ , ରୋଡ୍ କ୍ଲିନିଂ ମେସିନ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ପରେ ସବୁଠାରୁ କମ୍ ସମୟ ମଧ୍ୟରେ ରାସ୍ତାକୁ ସଫା କରିବା ଗୁରୁତ୍ୱପୂର୍ଣ୍ଣ । ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃସଂଯୋଗ ପାଇଁ ସମସ୍ତ ଟିମ୍ ଓ ଆବଶ୍ୟକ ଯନ୍ତ୍ରପାତି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ସହ ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯୟ ପରିଚାଳନାରେ ଓଡିଶାର ସ୍ୱତନ୍ତ୍ର ଦକ୍ଷତା ରହିଛି ଏବଂ ଆମେ ଏବେ ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛୁ । କୋଭିଡ ମହାମାରୀ ଯୋଗୁ ପରିସ୍ଥିତି ଆହୁରି ଜଟିଳ ହୋଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି । ସମସ୍ତ ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି । ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା କହିଥିଲେ ଯେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସଂପର୍କରେ ସଠିକ ସୂଚନା ମିଳିବ । ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି । ୨୨ଟି ଏନଡିଆରଏଫ୍ ଟିମ୍‌, ୬୬ଟି ଓଡ୍ରାଫ୍ ଟିମ୍‌, ୧୭୭ଟି ଅଗ୍ନିଶମ ସେବା ଟିମ୍ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଲୋକଙ୍କ ସ୍ଥାନାନ୍ତର ପାଇଁ ଅତିରିକ୍ତ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି । ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ ନିୟମାବଳୀର ପାଳନ କରାଯିବ । ସେହିପରି ଟେଲିକମ୍ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲକୁ ନେବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସବୁ ରିଫିଲିଂ ଷ୍ଟେସନ୍ କୁ ଅତିରିକ୍ତ ଡିଜି ସେଟ୍ ଦିଆଯାଇଛି ଏବଂ ଜିଲ୍ଲାଗୁଡିକ ସବୁ ଅକ୍‌ସିଜେନ ସିଲିଣ୍ଡର ଗୁଡିକୁ ଆଗୁଆ ରିଫିଲିଂ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ । ବାତ୍ୟାର ସମ୍ଭାବନା ଥିଲେ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକୁ ପୂର୍ବ ପରି ଅକ୍‌ସିଜେନ ଯୋଗାଣ ଜାରି ରହିବ ବୋଲି ସେ କହିଥିଲେ । ବୈଠକରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ । ବାଲେଶ୍ୱରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା । ଏହାସହିତ ଅକ୍‌ସିଜେନ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ, ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ । ଗର୍ଭବତୀ ମହିଳା ମାନଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ସେମାନେ କହିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା , ଡିଜି ଶ୍ରୀ ଅଭୟ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ, ଆଂଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love