୧୩ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ : ଅଧିକ ସକ୍ରିୟ ହେବାର ଲାଗିଛି ବାତ୍ୟା ‘ତଉକତେ’ । ଏବେ ଏହା ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇଛି । ଛଅ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ମାଡି ଆସୁଛି । ଗୋଆର ଦକ୍ଷିଣରୁ ପ୍ରାୟ ୧୯୦ କିଲୋମିଟର ଏବଂ ମୁମ୍ବାଇ ଠାରୁ ୫୫୦ କିଲୋମିଟର ଦୂରରେ, ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ଭେରାଭାଲ୍ (ଗୁଜୁରାଟ) ଏବଂ କରାଚିରେ ଉତ୍ତର କେନ୍ଦ୍ରୀୟ ଆରବ ସାଗର ଉପକୂଳରେ ଏହା କେନ୍ଦ୍ରୀଭୂତ ହୋଇଛି । ଆଜି ବଡ଼ି ସକାଳୁ ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ କହିଛି, ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ମେ ୧୮ ତାରିଖ ପ୍ରତ୍ୟୁଷ ବେଳକୁ ପୋରବନ୍ଦର ଏବଂ ଭାବନଗର ଜିଲ୍ଲା ଅନ୍ତର୍ଗତ ମହୁୱା ମଧ୍ୟ ଦେଇ ଗୁଜରାଟ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ବାତ୍ୟା ଅଗ୍ରସର ହେଉଛି । ‘ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକର ରୂପ ନେବ । ମେ’ ୧୮ ଅପରାହ୍ନରେ ପୋରବନ୍ଦର ଓ ନଲିଆ ମଧ୍ୟରେ ଗୁଜରାଟ ତଟରେ ବାତ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଆଇଏମଡି କହିଛି ଯେ ସେହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ମୁମ୍ବାଇ ଭଳି ସହର ଅଧିକ ପ୍ରଭାବିତ ହେବ ନାହିଁ । ୧୭ ମେରେ ମୁମ୍ବାଇ ସମେତ ଉତ୍ତର କୋଙ୍କଣର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେବ । ଆଇଏମଡି ବରିଷ୍ଠ ନିର୍ଦ୍ଦେଶକ ଶୁଭନୀ ଭୁଟେ କହିଛନ୍ତି ଯେ ରବିବାର ଅପରାହ୍ନରୁ ମହାରାଷ୍ଟ୍ରର ରାଜଧାନୀରେ ବର୍ଷା ହୋଇପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ଗୋଆଠାରୁ ୨୫୦ କିଲୋମିଟରେ ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବାତ୍ୟାର ମୁକାବିଲା ତଥା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ଏବଂ ବିଦ୍ୟୁତ୍, ଟେଲିକମ୍, ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love