ଅନ୍ତଃରାଜ୍ୟ ଯାତ୍ରା ସମୟରେ କୋଭିଡ ପରୀକ୍ଷଣର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ : ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କୋଭିଡ-୧୯କୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଅନ୍ତଃରାଜ୍ୟ ଯାତ୍ରା କାଳରେ କୋଭିଡ ପରୀକ୍ଷଣର ଆବଶ୍ୟକତା ନଥିବା କହିଛନ୍ତି। ଦେଶରେ କରୋନା ପରୀକ୍ଷଣ ତ୍ୱରାନ୍ୱିତ କରାଯାଇଛି। ଏଥିରେ ଅନ୍ତଃରାଜ୍ୟ ଯାତ୍ରା ଲାଗି ଲୋକେ ପରୀକ୍ଷଣ ନିମନ୍ତେ ଭିଡ କରିବା ପ୍ରୟୋଗଶାଳାମାନଙ୍କ ଉପରେ ଚାପ ସୃଷ୍ଟି କରୁଛି। ଏଣୁ ଲାବୋରେଟରୀଙ୍କ ଚାପ ହ୍ରାସ ଲାଗି ଆଇସିଏମଆର ଏହି ଗାଇଡଲାଇନ ଜାରି କରିଛନ୍ତି।

ସେହପରି ବିଭିନ୍ନ ରାଜ୍ୟ ଏଥିପାଇଁ ଜାରି କରିଥିବା କଟକଣା ହଟାଇ ଦିଅନ୍ତୁ ବୋଲି ଆଇସିଏମଆର କହିଛନ୍ତି। ଦେଶର ଅନେକ ରାଜ୍ୟ ଏବେ ଏଭଳି କଟକଣା ଜାରି କରିଛନ୍ତି। ଏଣୁ ଲୋକେ ଘରକୁ ଫେରିବା ଲାଗି କୋଭିଡ ନେଗେଟିଭ ସାର୍ଟିଫିକେଟ ଯୋଗାଡ ନିମନ୍ତେ ବିଭିନ୍ନ ସ୍ଥାନରେ ଭିଡ କରୁଛନ୍ତି। ସାରା ଦେଶରେ ଏବେ କୋଭିଡ ସଂକ୍ରମଣ ହାରରେ ଦ୍ରୁତ ବୃଦ୍ଧି ଦେଖାଯାଇଛି। ଏଥିରେ ଟେଷ୍ଟିଂ ଲାବୋରେଟରୀମାନଙ୍କ ଉପରେ ଚାପ ମଧ୍ୟ ବଢିବଢି ଚାଲିଛି। ସାରା ଦେଶରେ ଏବେ ପଜିଟିଭିଟି ହାର ୨୦ ପ୍ରତିଶତ ବୋଲି ଆଇସିଏମଆର କହିଛନ୍ତି। ତେବେ ସଂକ୍ରମଣ ରୋକିବା ଲାଗି ପଜିଟିଭ ଲୋକଙ୍କ ପରୀକ୍ଷଣ, ଟ୍ରାକିଂ, ଅନୁସନ୍ଧାନ ଓ ପୃଥକବାସ ଦ୍ୱାରା ସମ୍ଭବ ବୋଲି କୁହାଯାଇଛି। ସେହିପରି ଥରେ ଜଣେ ଯିଏ ଆରଟିପିସିଆର ପରୀକ୍ଷଣରେ ପଜିଟିଭ ଚିହ୍ନଟ ହୋଇଛି ତାଙ୍କର ବାରମ୍ବାର ପରୀକ୍ଷଣ କରିବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ଆଇସିଏମଆର କହିଛନ୍ତି। ସେହିପରି ହସ୍ପିଟାଲରୁ ସୁସ୍ଥ ହୋଇ ଡିଶ୍ଚାର୍ଜ ହେଉଥିବା ରୋଗୀଙ୍କର ମଧ୍ୟ କୋଭିଡ ପରୀକ୍ଷଣର ଆବଶ୍ୟକତା ନଥିବା କହିଛନ୍ତି। ଏହା ଛଡା ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନ କରିବାକୁ ଓ ଲକ୍ଷଣ ଥିଲେ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Spread the love