ରାଜ୍ୟରେ କମୁଛି କରୋନା ପଜିଟିଭିଟି : ପଡୋଶୀ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଛି

ଭୁୁବନେଶ୍ୱର : ରାଜ୍ୟରେ ବର୍ତମାନ ସମୟରେ ପଜିଟିଭିଟି କମୁଛି । ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା । ମାତ୍ର ପରବର୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି । ଆଜି ରାଜ୍ୟରେ ୯୫୪୧ ପଜିଟିଭ ଚିହ୍ନିତ ହୋଇଛନ୍ତି । ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍ ବୋଲି ଧରିବାକୁ ହେବ । ଏହାସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ରାଜ୍ୟ ସରକାରଙ୍କ କରୋନା ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପଡ଼ୋଶୀ ରାଜ୍ୟରେ ସଂକ୍ରମଣ କମୁଥିବାରୁ ସୀମାବର୍ତୀ ଜିଲାର ସଂକ୍ରମଣ କମୁଛି । ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି ବୋଲି ସେ କହିବା ସହ, ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାନ୍ତ ସିଲ୍ କରାଯାଇଛି । ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦% ରହିଛି । ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଜିଲ୍ଲା ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪%ରେ ପହଂଚିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମିବା ସହ ୫ ଜିଲ୍ଲାରେ ୫% ତଳେ ରହିଛି ସଂକ୍ରମଣ । ଆଗକୁ ପଜିଟିଭିଟି ଆହୁରି କମିବା ନେଇ ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ଯେତିକି ପଜିଟିଭ ରୋଗୀ ଅଛନ୍ତି ୮୬ ପ୍ରତିଶତ ରୋଗୀ ହୋମ ଆଇସୋଲେସନରେ ଅଛନ୍ତି । ପୂର୍ବରୁ କ୍ରିଟିକାଲ କେୟାର ବେଡ଼(ଆଇସିୟୁ ଓ ଭେଂଟିଲେଟର)ରେ ୮୨ ପ୍ରତିଶତ ରୋଗୀ ରହୁଥିବାବେଳେ ଏବେ କ୍ରିଟିକାଲ କେୟାର ବେଡ଼ରେ ରୋଗୀ ସଂଖ୍ୟା ୭୨ ପ୍ରତିଶତକୁ ଖସିଆସିଛି ।ଆମ ରାଜ୍ୟରେ ମେଡିକାଲ ଅକ୍ସିଜେନ ୬୭ ମେଟ୍ରିକ ଟନର ଆବଶ୍ୟକତା ରହୁଛି । ତାହାକୁ ଆଖି ଆଗରେ ରଖି ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଅଛି । ଆମ ରାଜ୍ୟରେ କୌଣସି ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ନାହିଁ । ସବୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ରାତିରେ ଶୋଇବାକୁ ଯିବା ପୂର୍ବରୁ ଜିଲ୍ଲାର କୋଭିଡ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ଭର୍ତି ହୋଇ ଅଛି ନା ନାହିଁ ସୂଚନା ପାଇବା ପରେ ହିଁ ବିଶ୍ରାମ ନିଅ । ଏଥିପାଇଁ ଅକ୍ସିଜେନ ଯୋଗାଣ ପାଇଁ ଯେଉଁ ଟିମ କାମ କରୁଛି ସେଥିରେ କୌଣସି ତ୍ରୁଟି ଦେଖାଯାଇନାହିଁ । ଶ୍ରୀ ମହାପାତ୍ର କହିଛନ୍ତି ଯେ ପାଖାପାଖି ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଯାଉଛି । ଏବେ ପର୍ଯ୍ୟନ୍ତ ୨୫ ହଜାର ମେଟ୍ରିକ ଟନ ଅକ୍ସିଜେନ ଯୋଗାଇ ସାରିଲୁଣି । ସେହିପରି ଯଦି ତୃତୀୟ ଲହରୀ ଆସେ ସେଥିପାଇଁ ମଧ୍ୟ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି । ଆସନ୍ତା ମାସେ କିମ୍ବା ଦୁଇ ମାସ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରଟିପିସିଆର ଲ୍ୟାବ ସ୍ଥାପନ କରାଯିବ । ତେବେ ଆଗକୁ ରଜ, ସାବିତ୍ରୀ ଆସୁଛି । ଏହି ସମୟରେ ଲୋକମାନେ ଅଧିକ ସତର୍କ ହେବା ଉଚିତ୍ । ନଚେତ୍ କରୋନା ସଂକ୍ରମଣ ପୁଣି ବଢିପାରେ । ଲୋକମାନେ ନିଜେ ସଚେତନ ହେଲେ ହିଁ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି ।

Spread the love