ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା : ଫେରିବେ ପ୍ରବାସୀ, ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ଯୋଗୁଁ ଦେଶର ବିଭିନ୍ନ ସହରରେ ଲକ୍ ଡାଉନ୍‌, ଶଟ୍ ଡାଉନ୍ ଲାଗୁ ହେଉଥିବାରୁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିପାରନ୍ତି । ସେଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅମ୍ଳଯାନ ବ୍ୟବସ୍ଥା ଓ ଅଧିକ ସଂଖ୍ୟକ ଶଯ୍ୟାର ବନ୍ଦୋବସ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ କୋଭିଡ୍ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କୋଭିଡର ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ ସହର ମାନଙ୍କରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗୁରୁତର ଚାପରେ ରହିଛି । ଓଡିଶାରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ସଂଖ୍ୟାରେ ବୃଦ୍ଧି ହେଉଛି । ଆମର ପୂର୍ବ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ଯୋଗୁ ଆମେ ଅନେକ ମାତ୍ରାରେ ପରିସ୍ଥିତିକୁ ଏ ପର୍ଯ୍ୟନ୍ତ ଠିକ୍ ଭାବରେ ପରିଚଳିତ କରିପାରିଛୁ । ତେବେ ଆମକୁ ସବୁଠାରୁ ଖରାପ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସମସ୍ତ ରୋଗୀ ଯେପରି ସମ୍ମାନର ସହିତ ଚିକିତ୍ସା ପାଇବେ, ଏବଂ ପ୍ରତ୍ୟେକ ଜୀବନକୁ ଆମେ ଯେପରି ବଂଚାଇପାରିବା, ସେଥିପାଇଁ ଆମକୁ ସମସ୍ତ ପ୍ରକାର ଉଦ୍ୟମ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବର୍ତମାନ ସବୁଠାରୁ ଗମ୍ଭୀର ପରିସ୍ଥିତିର ସାମ୍‌ନା କରୁଛୁ । ତେଣୁ ଆମେ ଯଦି ସମସ୍ତେ ଦାୟିତ୍ୱବାନ ହୋଇ ପରିସ୍ଥିତିର ମୁକାବିଲା କରିବା, ତେବେ ଆମ ନିଶ୍ଚିତ ଭାବରେ ଏ ପରିସ୍ଥିତିରୁ ସଫଳ ଭାବେ ବାହାରି ପାରିବା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ଏକ ୬ ସୂତ୍ରୀ ପରାମର୍ଶ ଦେଇଛନ୍ତି । ସାରା ରାଜ୍ୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ କୋଭିଡ କେୟାର ସେଂଟର ସ୍ଥାପନ , ଯେତେଦୂର ସମ୍ଭବ ସର୍ବାଧିକ ସଂଖ୍ୟାରେ ଶଯ୍ୟା ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ରଖାଯାଉ , ଅକ୍‌ସିଜେନ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତିରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉ , ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ ଭଲ ଭାବରେ ତଦାରଖ କରାଯାଉ ଏବଂ ହସ୍‌ପିଟାଲ ଗୁଡିକରେ ଏଥିପାଇଁ ସମସ୍ତ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତିରେ ଉପଲବ୍‌ଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମେଡିସିନ୍ ଷ୍ଟକ୍ ଯଥେଷ୍ଟ ରହିଛି, ତଥାପି ଆଗକୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧର ଏକ ବଫର ଷ୍ଟକ୍ ରଖାଯାଉ । ଆଇଇସି ଅଭିଯାନରେ ଅଧିକ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ । ଜନସାଧାରଣ ଦ୍ୱିତୀୟ ଲହରର ଭୟାବହତା ସଂପର୍କରେ ସଚେତନ ହେବା ଜରୁରୀ ଏବଂ କୋଭିଡ ନିୟମାବଳୀକୁ ମାନିବା କେତେ ଜରୁରୀ, ସେ ସଂପର୍କରେ ଅନୁଭବ କରିବା ଦରକାର । ଜନସାଧାରଣଙ୍କ ସହିତ ମିଶନ ଶକ୍ତି ଏବଂ ପଂଚାୟତିରାଜ ପ୍ରତିନିଧି ମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉ । ସମସ୍ତ କୋଭିଡ ନିୟମାବଳୀ ଦୃଢ ଭାବରେ ଲାଗୁ କରିବା କାର୍ଯ୍ୟକ୍ରମ ଜାରି ରହିବା ଜରୁରୀ । ଅନ୍ୟ ରାଜ୍ୟରେ ଯେଉଁଠାରେ କୋଭିଡ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଆସିବାର ସମ୍ଭାବନା ଅଛି । ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ । ପୂର୍ବରୁ ଯେଉଁ ପ୍ରୋଟୋକଲ୍ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତମାନର ଡାଟାବେସ୍ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରିବା ସହ ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ ପର୍ଯ୍ୟବକ୍ଷକଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖନ୍ତୁ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ । ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି କହିଥିଲେ । ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି । ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସେ ମୁଖ୍ୟତଃ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

Spread the love