ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ ଗୁରୁତର

ଯାଜପୁର : ସାମାନ୍ୟ କଥାକୁ ନେଇ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ଯାଜପୁର ଟାଉନ୍‌ ଥାନା ବଲଭିଘାଟ ଛକ ନିକଟରେ ନାଉରିଆ ସାହି ଓ ସାନବଜାର ବାସିନ୍ଦାଙ୍କ ମଧ୍ୟରେ ଘଟିଛି ଏହି ଘଟଣା ।

ସୂଚନା ଯେ, ଯାଜପୁର ପୌରାଞ୍ଚଳରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ରବିବାର ରାତିରେ ଭୋଜିର ଆସର ହୋଇଥିଲା । ଭୋଜି ଖାଇବାକୁ ନେଇ ଭୋଜିସ୍ଥଳରେ ନାଉରିଆ ସାହି ଓ ସାନବଜାରର କେତେକ ଯୁବକଙ୍କ ମଧ୍ୟରେ ମତାନ୍ତର ହୋଇ ଯୁକ୍ତିତର୍କ ହୋଇଥିଲା। ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ହୋଇଥିବା କଥାକଟି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଯାଇଥିଲା । ଯୁକ୍ତିତର୍କ କ୍ରମଶଃ ଉଗ୍ରତର ହେବାରୁ ଉଭୟ ଗୋଷ୍ଠୀର ଯୁବକମାନେ ସାନବଜାର ଛକ ଉପରକୁ ଚାଲି ଆସିଥିଲେ। ସେଠାରେ ମଧ୍ୟ ବିବାଦ ଆହୁରି ତେଜିଲା ଏବଂ ନାଉରିଆ ସାହିର ବାସିନ୍ଦାମାନେ ଦଳବଦ୍ଧ ଭାବେ କାଚ ବୋତଲ, ଢେଲା ଏବଂ ଭୁଜାଲି ଆଦି ଆଣି ସାନବଜାରରେ ତୁମୁଳ ସଂଘର୍ଷ ଆରମ୍ଭ କରିବା ସହ ପ୍ରାୟ ସବୁ ଦୋକାନ ଭାଙ୍ଗି ଛିନ୍ନଚ୍ଛତ୍ର ପକାଇଲେ। ଗୋଷ୍ଠୀ ସଂଘର୍ଷ ହୋଇ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେ ମଧ୍ୟ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ବି ନିୟନ୍ତ୍ରଣାଧୀନ ଥିବା କଥା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଏ ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ କି, ଆପୋସ ଆଲୋଚନା ମଧ୍ୟ ହୋଇନାହିଁ।

Spread the love