ବାତ୍ୟା ପରବର୍ତୀ ପୁନଃନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ଯଥେଷ୍ଟ ମାନବ ସମ୍ବଳ, ଯନ୍ତ୍ରପାତି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଶୁକ୍ରବାର ପ୍ରସ୍ତୁତି ସମ୍ବନ୍ଧୀୟ ସମୀକ୍ଷା କରିଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ, ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା), ଏନଡିଆରଏଫ, ନୌସେନା ଅଧିକାରୀ, ତଟରକ୍ଷୀ ବାହିନୀ ଅଧିକାରୀ ଓ ୧୪ ଗୋଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି, କେଉଁଝର ଓ ଢେଙ୍କାନାଳ ର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ବିଶେଷତଃ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସହର ଓ ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ । ଖରାପ ହୋଇଯାଇଥିବା ପାଇପ ଯୋଗେ ଜଳ ଯୋଗାଣ ଓ ନଳକୂପର ଶୀଘ୍ର କରାଯିବା ପାଇଁ ପରାମର୍ଶ ଦେଇଥିଲେ । ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଧିକ ସଂଖ୍ୟକ ଟ୍ୟାଙ୍କର, ପାଣି ଟାଙ୍କି ଓ ଜେନେରେଟର ସେଟ୍ ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଆବଶ୍ୟକସ୍ଥଳେ ଅଧିକ ସଂଖ୍ୟକ ପାଣିଟାଙ୍କି ଅନ୍ୟ ଜିଲ୍ଲା ବା ରାଜ୍ୟରୁ ଆଣିବା ପାଇଁ କହିଥିଲେ । ଏତଦବ୍ୟତୀତ ସେ ଆବଶ୍ୟକ ସଂଖ୍ୟକ ବିଦ୍ୟୁତ ପୋଲ, ତାର, ଟ୍ରାନ୍ସଫରମର ଆଦି ପ୍ରସ୍ତୁତ ରଖିବାକୁ ଶକ୍ତି ବିଭାଗକୁ କହିଥିଲେ । ବାତ୍ୟା ପରବର୍ତୀ ସମୟରେ ପୁନଃନିର୍ମାଣ ଓ ମରାମତି କାର୍ଯ୍ୟ ତ୍ୱରିତ ଭାବେ କରିବା ପାଇଁ ଯଥେଷ୍ଟ ମାନବ ସମ୍ବଳ, ଯନ୍ତ୍ରପାତି ଓ ସାମଗ୍ରୀ ଆଦିର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ବାତ୍ୟା ପରେ ପରେ ଯୋଗାଯୋଗ ସୁବ୍ୟବସ୍ଥିତ ପାଇଁ ରାସ୍ତାରେ ପଡିଥିବା ଗଛଗୁଡିକୁ କାଟି ସଫା କରିବା ବହୁତ ଜରୁରୀ ଅଟେ । ଏଥିପାଇଁ ବନ ବିଭାଗ, ଅଗ୍ନିଶମ ବିଭାଗ, ଓଡ୍ରାଫ ଏବଂ ଏନଡିଆରଏଫ ଆଦିଙ୍କୁ ସେମାନଙ୍କ କର୍ମଚାରୀ ଓ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଏତଦବ୍ୟତୀତ ଡାକ୍ତରଖାନା ଓ କୋଭିଡ ପରିଚାଳନା କେନ୍ଦ୍ରରେ ଅତିରିକ୍ତ ପାନୀୟଜଳ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ କହିଥିଲେ ।

ସେହିପରି ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଆସନ୍ତାକାଲି (ଶୁକ୍ରବାର) ଉତର ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ପନ୍ନ ହେଉଥିବା ଲଘୁଚାପ କ୍ଷେତ୍ର ୨୩ ତାରିଖରେ କ୍ରମଶଃ ଘନୀଭୂତ ହେବ ଏବଂ ଏହା ଅବପାତ ରୂପ ନେଇ ଆସନ୍ତା ୨୪ ତାରିଖରେ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ ୨୬ ତାରିଖ ବେଳକୁ ଉତର ଓଡ଼ିଶା ଓ ପଶ୍ଚିମବଂଗ ଉପକୂଳରେ ପହଂଚିବାର ଅନୁମାନ କରାଯାଇଛି । ତେବେ ଏହାର ଗତିପଥ, ବେଗ, ଭୟାଭୟତା, ବୃଷ୍ଟିପାତ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ସଂପର୍କରେ ସବିଶେଷ ତଥ୍ୟ ଆସନ୍ତାକାଲି ସୁଦ୍ଧା ଜଣାପଡିବ । ଓଡ୍ରାଫ, ଅଗ୍ନିଶମ ବାହିନୀ, ଏନଡିଆରଏଫ, ଭାରତୀୟ ତଟରକ୍ଷୀ ସହିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ହୋଇରହିଛନ୍ତି । ଏନଡିଆରଏଫର ୧୭ ଟି ଟିମ, ଓଡ୍ରାଫ ର ୨୦ ଟି ବାଟାଲିୟନ ଏବଂ ଉପକୂଳ ଓଡ଼ିଶାରେ ଥିବା ଅଗ୍ନିଶମ ବାହିନୀର ଦଳ ସହିତ ଅନ୍ୟସ୍ଥାନରୁ ୧୦୦ ଗୋଟି ଟିମ୍ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ଗ୍ରାମ ପଂଚାୟତକୁ ସାମିଲ କରି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କାର୍ଯ୍ୟ ସଠିକ୍ ରୂପେ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି କେହି ବାତ୍ୟା ସମୟରେ ଆଜବେଷ୍ଟ, ମାଟି କିମ୍ବା କଚ୍ଚା ଘରେ ରହିବେ ନାହିଁ ତାହା ସେମାନେ ସୁନଶ୍ଚିତ କରିବାକୁ କୁହାଯାଇଛି । ଏହି ବାତ୍ୟାକୁ ଆଖିରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦ୍ୟୁତ ବିଭାଗ ଓ ବଂଟନ ସଂସ୍ଥା, ଟେଲିକମ୍ କାର୍ଯ୍ୟାଳୟ ଓ ଏନଡିଏମଏ ସହିତ ଆଲୋଚନା କରାଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି । ପାରାଦ୍ୱୀପର ସନ୍ଧାନକାରୀ ଦଳ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରି ଯିବା ପାଇଁ ଅବଗତ କରାଉଛନ୍ତି । ଏବେସୁଦ୍ଧା ମାତ୍ର ୩୯ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଅଛନ୍ତି ଏବଂ ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି । ପାରାଦ୍ୱୀପ, ଧାମରା ଓ ଗୋପାଳପୁର ବନ୍ଦର ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମୁଦ୍ର ମଧ୍ୟରେ ରହିଯାଇଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରାଇ ଆଣିବାକୁ ପାରାଦ୍ୱୀପରେ ଥିବା ତଟରକ୍ଷୀ ବାହିନୀର ଦୁଇଗୋଟି ଉଡାଜାହାଜ ଓ ଦୁଇଗୋଟି ଜାହାଜ ବଙ୍ଗୋପସାଗରରେ ପଇଁତରା ମାରୁଛନ୍ତି । ଏଥିସହିତ ସେମାନେ ବାହାରୁ ଆସିଥିବା ମତ୍ସ୍ୟଜୀବୀ ବୋଟକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଗ୍ରହଣ କରିବେ । ମତ୍ସ୍ୟଜୀବୀମାନଙ୍କର ଟଲର, ଡଙ୍ଗା ଓ ଜାହାଜ ଯେପରି କ୍ଷତିଗସ୍ତ ନହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । କୋଭିଡ ନିୟମକୁ ଦୃଷ୍ଟିରେ ରଖି ଯଥେଷ୍ଟ ଅଧିକ ସଂଖ୍ୟକ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି । ଆଶ୍ରୟ ନେଉଥିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସମ୍ଭବ ହୋଇପାରିବ । ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀରେ ରହିବା ସମୟରେ କୋଭିଡ୍ ନିୟମର କିଭଳି ଅନୁପାଳନ କରାଯିବ ସେଥିନିମନ୍ତେ ଗୁରୁତ୍ୱ ଦିଆଯାଉଛି ।ବାତ୍ୟା ପୂର୍ବରୁ ବିିଭିନ୍ନ ବିଜ୍ଞାପନ ଓ ହୋଡିଂ ବୋର୍ଡକୁ ଉଠାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ବିଭାଗ ତରଫରୁ ଅମଳ ହୋଇନଥିବା ଶସ୍ୟକୁ ଶୀଘ୍ର କିଭଳି ଅମଳ କରାଯିବ ଏବଂ ଅମଳ ହୋଇସାରିଥିବା ଶସ୍ୟର କିଭଳି ସୁରକ୍ଷା କରାଯାଇ ପାରିବ ସେ ସଂପର୍କରେ କୃଷି ବିଭାଗ ତରଫରୁ ମାର୍ଗଦର୍ଶିକା ଦିଆଯାଇଛି ।

Spread the love