ଆଇପିଏଲ-୨୦୨୧ : ପଞ୍ଜାବକୁ ୬ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ

ମୁମ୍ବାଇ : ହାସଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ଶୁକ୍ରବାର ଖେଳାଯାଇଥିବା ୮ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ଵିକେଟରେ ବିଜୟୀ ହୋଇଛି । ଏହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି । ସେହିପରି ନିଜର ଦ୍ଵିତୀୟ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରଥମ ପରାଜୟ ଭୋଗିଛି। ୱାଙ୍ଖଡ଼େ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୦୬ ରନ କରିଥିଲା। ଦଳ ପକ୍ଷରୁ ଶାହାରୁଖ ଖାନ ସର୍ବାଧିକ ୪୭ ରନ କରିଥିଲେ। ଜବାବରେ ମୋଇନ ଅଲ୍ଲୀ(୪୬) ଓ ଫାଫ ଡୁପ୍ଲେସିସ୍‌ଙ୍କ ଅପରାଜିତ ୩୬ ରନ ଜରିଆରେ ଚେନ୍ନାଇ ୧୫.୪ ଓଭରରେ ୧୦୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୀପକ ଚହର ୧୩ ରନରେ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଆଜି ଚେନ୍ନାଇ ଟସ ଜିତି ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୧ ରନ ହୋଇଥିବାବେଳେ ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ । ଏହା ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ ପଡ଼ିଚାଲିଥିଲା । ଶାହରୁଖ ଖାଁଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ କିଛି ଯୋଗଦାନ ଦେଇପାରିନଥିଲେ । ଦଳର ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ୧୦ ରନ, କେଏଲ ରାହୁଲ ୫ ରନ କରିଥିଲେ । ତେବେ ଶାହରୁଖଙ୍କ ୪୭ ରନ ବଳରେ ଦଳୀୟ ସ୍କୋର ୧୦୦ ଟପିପାରିଥିଲା । ପଞ୍ଜାବ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୦୬ ରନ କରିଥିଲା ।

୧୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇକୁ ଦୁଇ ଓପନର ଋତୁରାଜ ଗାଏକଓ୍ଵାଡ ଓ ଫାଫ ଡୁ ପ୍ଲେସିସ୍ ୨୪ ରନ ଯୋଡିଥିଲେ। ଗାଏକଓ୍ଵାଡ(୫) କରି ଆଉଟ୍ ହୋଇଥିଲେ। ପରେ ଡୁପ୍ଲେସିସ୍‌ ଓ ମୋଇନ ଅଲ୍ଲୀ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୬୬ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ୯୦ ରନ ସ୍କୋରରେ ମୋଇନ ଅଲ୍ଲୀ ଆଉଟ୍ ହୋଇଥିଲେ। ସେ ୩୧ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୪୬ ରନ କରି ପାଭିଲିୟନ ଫେରିଥିଲେ। ପରେ ଚେନ୍ନାଇ ଶୀଘ୍ର ଜିତିବା ଚକ୍କରରେ ୨ଟି ଓ୍ଵିକେଟ୍ ହରାଇଥିଲା। ସୁରେଶ ରୈନା(୮) ଓ ଅମ୍ବତି ରାୟୁଡୁ(୦) ଆଉଟ୍ ହୋଇଥିଲେ। ଫାଫ ଡୁପ୍ଲେସିସ୍‌ ୩୬ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ସାମ କୁରନ ୫ ରନ କରିଥିଲେ। ୧୫.୪ ଓଭରରେ ୪ ଓ୍ଵିକେଟ୍ ହରାଇ ଚେନ୍ନାଇ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି। ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷରଦୀପ ସିଂହ ଓ ମୁରୁଗାନ ଅଶ୍ଵିନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Spread the love