ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ବିଶେଷ ତିଥିରେ ଆଜି ଅପରାହ୍ନରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀ ଠାରେ ଆରମ୍ଭ ହୋଇଛି । ଏହି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପୀ ଚାଲିବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ଆସି ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଗୃହରେ ବିଜେ କରିଛନ୍ତି । ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଚଂ ମହାଦେବ ଚନ୍ଦନ ଚକଡ଼ାରେ ବିଜେ କରିଛନ୍ତି । ପରେ ପରେ ଦିନ ଚାପ ଅନୁଷ୍ଠିତ ହୋଇଛି । ନନ୍ଦା, ଭଦ୍ରା ନୌକା ଯୋଗେ ଦିନ ଚାପ ଖେଳିଛନ୍ତି ମହାପ୍ରଭୁ । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ସହ ରାତି ଚାପ ଅନୁଷ୍ଠିତ ହେବ । ଏବଂ ରାତି ୧୦ ଟା ପୂର୍ବରୁ ମଦନମୋହନ ମଣି ବିମାନ ଯୋଗେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପ୍ରଶାସନର କୋଭିଡ଼୍ କଟକଣା ପାଇଁ ମାତ୍ର ୫୦ ରୁ ୬୫ ଜଣ ସେବାୟତ ଏହି ନୀତିକାନ୍ତିରେ ନିୟୋଜିତ ରହିଛନ୍ତି । ଏଥର ବିନା ଭକ୍ତରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି । ଭକ୍ତ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଠାରୁ ଚନ୍ଦନ ପୋଖରୀ ପର୍ଯ୍ୟନ୍ତ ବିମାନ ରୁଟ୍ କୁ ବ୍ୟାରିକେଡ଼ କରାଯିବା ସହ ବ୍ୟାରିକେଟ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ବ୍ୟତୀତ ନରେନ୍ଦ୍ର ପୁଷ୍କରିଣୀ ଚର୍ତୁପାଶ୍ୱର୍ରେ ମଧ୍ୟ ୧୪୪ ଧାରା ଜାରୀ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛି । ଜଣେ ଆଡ଼ିସିନାଲ ଏସପି, ୪ ଜଣ ଡ଼ିଏସପି, ୧୦ ଜଣ ଇନ୍ସପେକ୍ଟର, ୨୮ ଜଣ ଏସଆଇ ଓ ଏଏସଆଇ, ୪୮ ଜଣ ହାବିଲଦାର ଓ କନେଷ୍ଟବଳ ନିୟୋଜିତ ହୋଇଛନ୍ତି ।

Spread the love