ବୁର୍ଲା ଭୀମସାରକୁ ପୁଣି ପଶିଲା ମହାମାରୀ କରୋନା

ସମ୍ୱଲପୁର : ବୁର୍ଲା ଭୀମସାରକୁ ପୁଣି ପଶିଲା ମହାମାରୀ କରୋନା । ଗତ ୫ମାସର ବିରତି ପରେ ଏଠାରେ ଥିବା ହୃଦରୋଗ ବିଭାଗରେ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି । ଏହାସହ ତୁରନ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି । ସଂକ୍ରମିତ ଚିହ୍ନଟ ରୋଗୀ ଜଣକ ବୌଦ୍ଧ କଣ୍ଟାମାଳ ଅଞ୍ଚଳର ୪୬ ବର୍ଷିୟ ଯୁବକ ବୋଲି ଜଣାପଡିଛି ।

ସୂଚନା ଯେ, ହୃଦ୍‌ରୋଗ ସମସ୍ୟା ଯୋଗୁଁ ଉକ୍ତ ଯୁବକ ଗତ ୨ ତାରିଖ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା । ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତଥାପି ସନ୍ଦେହ କରି ତାଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ପାଇଁ କହିଥିଲେ ଏବଂ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା । ରବିବାର ଅପରାହ୍ନ ସମୟରେ ତାଙ୍କ ଆର୍‌ଟି ପିସିଆର୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଉକ୍ତ ରୋଗୀଙ୍କ ପାଖରେ ଯେଉଁ ଚାରିଜଣ ରୋଗୀ ରହିଥିଲେ ତାଙ୍କ ମଧ୍ୟ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଛି । କରୋନା ସନ୍ଦେହ ଥିବା ରୋଗୀଙ୍କୁ ରଖିବା ପାଇଁ କାର୍ଡିଓଲୋଜି ବିଭାଗରେ ଏକ ସ୍ୱତନ୍ତ୍ର ୱାର୍ଡ ରହିଛି । ଗତ ୫ ମାସ ପରେ ଭିମସାରର ୱାର୍ଡ ଭିତରେ କରୋନା ରୋଗୀ ହେବା ଘଟଣା ପରେ ଭୟର ବାତାବରଣ ସୃଷ୍ଟି କରିଛି ।

Spread the love