ବହୁ ପ୍ରତିକ୍ଷୀତ ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ଦେବାକୁ ପ୍ରୟାସ

ଗତ ବ୍ୟାଘ୍ର ଦିବସରେ ରାଜ୍ୟ ସରକାର ବାଘବଂଶର ସୁରକ୍ଷା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ବହୁ ପ୍ରତିକ୍ଷୀତ ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ଦେବାକୁ ପ୍ରୟାସ ଚାଲିଥିବା ଘୋଷଣା କରିଛନ୍ତି। ୧୯୮୪ରେ ରାଜ୍ୟର ପଶ୍ଚିମ ସୀମାନ୍ତରେ ଜିଲ୍ଲାର ସୁନାବେଡା ପାଟି ଡଙ୍ଗର(ଗୁଡା ପାହାଡ)ର ୧୨ଟି ପାୟତର ୫୨ଟି ଛୋଟ ବଡ ଗାଁକୁ ନେଇ ସରକାର ଅଭୟାରଣ୍ୟ ଘୋଷଣା କରିଥିଲେ। ସମୁଦ୍ର ପତ୍ତନ ଠାରୁ ୩ ହଜାର ଫୁଟ ଉଚ୍ଚରେ ଛତିଶଗଡ ରାଜ୍ୟକୁ ସଂଲଗ୍ନ ୬ ଶହ ବର୍ଗ କିମି ଆୟତନ ବିଶିଷ୍ଟ ଅଭୟାରଣ୍ୟର ଘଣ୍ଟ ଜଙ୍ଗଳ ଭିତରେ ବହୁ ବନ୍ୟଯନ୍ତୁ, ପକ୍ଷୀଙ୍କ ସୁରକ୍ଷିତ ବାସସ୍ଥାନ ପାଳଟିଛି।

୧୯୯୫ରେ ସୁନାବେଡା ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ବନ୍ୟପ୍ରାଣୀ ବିଭାଗ ତରଫରୁ ପଗ୍ ମାର୍କରେ ବ୍ୟାଘ୍ର ଗଣନା ହୋଇଥିଲା। ଏଥିରେ ମଇ ୧୨ ରୁ ୧୫ ତାରିଖରେ ହୋଇଥିବା ପଗ୍ ମାର୍କ ବ୍ୟାଘ୍ର ଗଣନାରେ ୧୦ଟି ମହାବଳ ଓ ୪୧ଟି କଳରା ପତରିଆ ବାଘ ରହିଥିଲା। ସେଥିରେ ୫ଟି ଅଣ୍ତିରା ମହାବଳ ଓ ୫ଟି ମାଈ ବାଘ ରହିଥିଲା। ସେହିପରି କଳରା ପତରିଆ ବାଘରେ ୧୦ଟି ଅଣ୍ତିରା, ୧୦ଟି ମାଈ, ୧୦ଟି ଛୁଆ ଓ ୧୧ଟି ସ୍ପଷ୍ଟ ହୋଇନଥିଲା। ଏହି ବ୍ୟାଘ୍ର ଗଣନାକୁ ଦୃଷ୍ଟିରେ ରଖି ୧୯୯୬ରେ କେନ୍ଦ୍ର ସରକାର ସୁନାବେଡା ଅଭୟାରଣ୍ୟକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୯୮ ମଇ ୯ ରୁ ୧୫ ତାରିଖ ପଗ୍ ମାର୍କ ବ୍ୟାଘ୍ର ଗଣନାରେ ୧୬ଟି ମହାବଳ ଓ ୨୩ଟି କଳରା ପତରିଆ ବାଘ ଥିଲା। ୨୦୦୦ ମଇ ୭ରୁ ୧୩ ତାରିଖ ବ୍ୟାଘ୍ର ଗଣନାରେ ୧୨ଟି ମହାବଳ ଓ ୧୨ଟି କଳରା ପତରିଆ ବାଘ ଥିଲା।

୨୦୦୨ ଜାନୁୟାରୀ ୬ରୁ ୧୨ ତାରିଖ ବ୍ୟାଘ୍ର ଗଣନାରେ ୨୪ ମହାବଳ ଓ ୨୪ କଳରା ପତରିଆ ଓ ୨୦୦୪ ଜାନୁୟାରୀ ୫ ରୁ ୧୦ ବ୍ୟାଘ୍ର ଗଣନାରେ ୩୨ ମହାବଳ ଓ ୩୬ କଳରା ପତରିଆ ବାଘ ଥିଲା। ଏହା ପରେ ସୁନାବେଡା ଅଭୟାରଣ୍ୟରେ ମାବାଦୀଙ୍କ ଅନୁପ୍ରବେଶ ଯୋଗୁଁ ବ୍ୟାଘ୍ର ଗଣନା ହୋଇନଥିଲା। ଶେଷରେ ୧୨ ବର୍ଷ ପରେ ୨୦୧୬ ରେ ପୁଣି ଥରେ ବ୍ୟାଘ୍ର ଗଣନା ହୋଇଥିଲା। ଫେବୃୟାରୀ ୫ରୁ ୧୦ ତାରିଖ ବ୍ୟାଘ୍ର ଗଣନାରେ ମାତ୍ର ୪ଟି ମହାବଳ ଓ ୨୦ଟି କଳରା ପତରିଆ ବାଘ ରହଥିିଲା। ଗତ ୨୦୧୮ ଫେବୃୟାରୀରେ ପଗ୍ ମାର୍କ ଓ କ୍ୟାମେରା ଟ୍ରାକିଂ ବ୍ୟାଘ୍ର ଗଣନାରେ କେବଳ ୭ ରୁ ୧୨ ମହାବଳ ଓ କଳରା ପତରିଆ ସହିତ ସିମିଲିପାଳ ଭଳି ଏକ ବିରଳ ପ୍ରଜାତି କଳା ବାଘ(ବ୍ଲାକ ପାନ୍ତ୍ରରର୍ସ) ରହିଥିବା ଅନୁମାନ କରିଥିଲେ। ରିପୋର୍ଟରେ ସାମାନ୍ୟ ସନ୍ଦେହ ହେବାରୁ ପ୍ରକାଶିତ ହୋଇନଥିଲା। ଅଭୟାରଣ୍ୟରେ ଜାତୀୟ ପ୍ରାଣୀ ବାଘ ସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି।

ଗତ ୨୦୧୭ ମଇ ୨୬ ରାତିରେ ହଲଦୀ ଗାଁର ହିରାଲାଲ ପାଣ୍ଡେଙ୍କ ଚାରି ବର୍ଷର ଶିଶୁ ପୁତ୍ର ଛଗନଲାଲ ମାଁ କୋଳରୁ ଏକ କଲରା ପତରିଆ ବାଘ ଛାମ୍ପି ନେଇ ଖାଇ ଯାଇଥିଲା। ଜୁନ ୧୫ରେ ମଣିଷ ଖିଆ ଅଣ୍ତିରା କଳରା ପତରା ବାଘ ଓ ଅକ୍ଟୋବର ୩୧ ରେ ଅନ୍ୟ ଏକ ବାଘୁଣିକୁ ବନ୍ୟପ୍ରାଣୀ ବିଭାଗ ଯନ୍ତାରେ ଫସାଇ ନନ୍ଦନ କାନକକୁ ନେଇଥିଲା। ଗତ ୨୦୧୯ ଅଗଷ୍ଟ ୨୨ରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡିଶା ଓ ଛତିଶଗଡ ରାଜ୍ୟର ବନ୍ୟପ୍ରାଣୀ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ନେଇ ସୁନାବେଡା ଅଭୟାରଣ୍ୟ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଥିଲା। ଏବେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥାନ ସୁନାବେଡା ଅଭୟାରଣ୍ୟକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ମଂଜୁରୀ ଦେଇ ସାରିଛି। ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିନଥିବାରୁ ତାହା ଘୋଷଣା ହୋଇ ପାରିନଥିଲା। ପ୍ରସ୍ତାବିତ ଜାତୀୟ ବ୍ୟାଘ୍ର ପ୍ରକଳ୍ପରେ ବନରାଜ ଅସୁରକ୍ଷିତ ହୋଇ ପଡିଛନ୍ତି। ମାଓବାଦୀଙ୍କ ବାହାନା କରି ବିଭାଗ ଅଧିକାରୀ ଓ କର୍ମଚାରୀ ଅଭୟାରଣ୍ୟ ଭିତରକୁ ଜାତାୟତ କରୁନଥିବାରୁ ଶିକାରୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ୨୦୨୦ ସେପ୍ଟେମ୍ବର ୨୦ରେ ସଦର ରେଂଜ ଅଧିନ ଆମାନାରା ସେକ୍ସନ ଟିପାଝର ଗାଁରେ ବନ ବିଭାଗ ଚଢାଉ କରି କଳରା ପତରିଆ ବାଘର ସଜ କଟା ମୁଣ୍ତ ଓ ଛାଲକୁ ଜବତ କରି ୭ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିଲା।

ଗତ ଫେବୃୟାରୀ ମାସରେ ସିନାପାଲି ଠାରେ ଏକ ବାଘ ଛାଲ ବିକ୍ରି ବେଳେ ଏସଟିଫ ଟିମ ଚଢାଉ କରି ବାଘ ଛାଳ ଜବତ କରି ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ଗତ ଜୁଲାଇ ୯ ଓ ୧୦ ରେ କଳାହାଣ୍ତି ଜିଲ୍ଲା ଏସ ରାମପୁର ଠାରେ ବନ ବିଭାଗ ଚଢାଉ କରି ୯ଟି ବାଘ ଛାଲ ଜବତ କରି ୭ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ଏହା ସୁନାବେଡା ଅଭୟାରଣ୍ୟ ବାଘ ଛାଳ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏଭଳି ବାଘ ଶିକାର ଦିନକୁ ଦିନ ବଢି ଚାଲିଛି। ଶିକାରୀମାନେ ଅବାଧରେ ବାଘ ଶୀକାର କରି ରାଜ୍ୟ ବାହାରକୁ ମାଂସ, ଛାଲ,ହାଡ ଭଳି ଅଙ୍ଗ ପ୍ରତ୍ୟଙ୍କକୁ ଚାଲାଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ କାଳି ରାଜ୍ୟ ସରକାର ସୁନାବେଡା ଅଭୟାରଣ୍ୟକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟରେ ବ୍ୟାଘ୍ର ସଂରକ୍ଷଣ ଓ ବଂଶ ବୃଦ୍ଧି ପାଇଁ ସୁନାବେଡା ଜଙ୍ଗଳକୁ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ଦେବାକୁ ଉଦ୍ୟମ ଜାରି ରହିଛି। ଏହାକୁ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଏନସିଏସ ଷ୍ଟାଣ୍ତାର୍ଡ ପୂରଣ କରିବା କାର୍ଯ୍ୟ ଚାଲିଛି ଓ ଖୁବ ଶିଘ୍ର ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ପ୍ରଦାନ କରାଯିବ ବୋଲି ରାଜ୍ୟ ପ୍ରଧାନ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ଶଶି ପାଲ ସୂଚନା ଦେଇଛନ୍ତି। ଏବେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅଧିକ ସଂଖ୍ୟକ କର୍ମଚାରୀ ଓ ଅଧିକାରୀ ନିଯୁକ୍ତ ହେବାକୁ ରହିଛି। ଏଥିରେ ବନ୍ୟଯନ୍ତୁ ଶୀକାର ରୋକିବାରେ ସଫଳ ହେବା ସହ ବ୍ୟାଘ୍ର ପ୍ରକଳ୍ପରେ ଜିଲ୍ଲାର ଯୁବକମାନେ ନିଯୁକ୍ତି ପାଇବେ ବୋଲି ବନବାସୀ ଆଶା ବାନ୍ଧିଛନ୍ତି।

Spread the love