ଭିନ୍ନକ୍ଷମ ବ୍ୟକ୍ତିଙ୍କ କରୋନା ଟେଷ୍ଟ ପାଇଁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଭିନ୍ନକ୍ଷମ ବ୍ୟକ୍ତିଙ୍କ କରୋନା ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି) । ବୟସ୍କ ଓ ଗର୍ଭବତୀଙ୍କ ପରି ଚାଲିପାରୁନଥିବା ଭିନ୍ନକ୍ଷମମାନେ କରୋନା ଟେଷ୍ଟ କରିବାକୁ ଚାହିଁଲେ ୧୯୨୯ରେ ଫୋନ୍ କରିବେ । ତା’ପରେ ବିଏମ୍‌ସିର ମେଡିକାଲ୍ ଟିମ୍ ଘରକୁ ଯାଇ ନମୂନା ସଂଗ୍ରହ କରିବେ । ଏନେଇ ବିଏମ୍‌ସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ଆସନ୍ତା କାଲିଠାରୁ ଭିନ୍ନକ୍ଷମଙ୍କୁ ନିଜ ଘରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି କମିଶନର କହିଛନ୍ତି ।

କମିଶନର ଆହୁରି କହିଛନ୍ତି ରାଜଧାନୀରେ ବିଭିନ୍ନ ହାଉସିଂ ସୋଶାଇଟିକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଉଛି । ସେଥିପାଇଁ ମାସ୍ ଟେଷ୍ଟିଂ କରାଯାଉଛି । ଯଦି କୌଣସି ହାଉସିଂ ସୋଶାଇଟି ମାସ୍ ଟେଷ୍ଟିଂ କରିବାକୁ ଚାହୁଁଛନ୍ତି, ତାହାହେଲେ ସେମାନେ ଜୋନାଲ୍ ଡେପୁଟି କମିଶନରଙ୍କୁ ସୂଚନା ଦେଇପାରିବେ କିମ୍ୱା ୧୯୨୯ରେ ଫୋନ୍ କରିପାରିବେ । ଏହା ପରେ ଯାଇ ସେଠାରେ ମାସ୍ ଟେଷ୍ଟିଂ କରାଯିବ । ବର୍ତମାନ ପର୍ଯ୍ୟାପ୍ତ ପରିମାଣର ଆମ୍ୱୁଲାନ୍ସ ରହିଛି । ପ୍ରତି ଜୋନ୍ ରେ ୧୦ଟି ଲେଖାଏଁ ଆମ୍ୱୁଲାନ୍ସ ନିୟୋଜିତ କରାଯାଇଛି । ଅତି କମ୍ ସମୟରେ ଯେପରି ଲୋକଙ୍କ ପାଖରେ ପହଂଚି ପାରିବେ, ସେଥିପାଇଁ ପ୍ରତି ଜୋନ୍ ରେ ପର୍ଯ୍ୟାପ୍ତ ପରିମାଣର ଆମ୍ୱୁଲାନ୍ସ ରଖାଯାଇଛି । ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ । ଯଦି ବାହାରିଲେ ମାସ୍କ ପିନ୍ଧନ୍ତୁ । ଯଥା ସମ୍ଭବ ଭିଡଠାରୁ ଦୂରେଇ ରୁହନ୍ତୁ । ସାମାଜିକ ଦୂରତା ବଜାୟ ରଖନ୍ତୁ ଓ ବାରମ୍ୱାର ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର ।

Spread the love