ବିଜେପି କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ରଙ୍କ ଆହ୍ୱାନ: ସାମାଜିକ ଗଣମାଧ୍ୟମରେ ଯୋଡ଼ି ହୁଅ, ଲୋକଙ୍କ ସେବା କର

ଭୁବନେଶ୍ୱର: ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ ହେଉଛି ଆମର ମୂଳ ଲକ୍ଷ୍ୟ । କେବଳ ରାଜନୀତି କରିବା ନୁହେଁ, ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ଏହା ହେଉଛି ଆମର ଗୁରୁଦାୟିତ୍ୱ । ଆମର ମହାପ୍ରଭୁ ହେଉଛନ୍ତି ବଡ଼ । ଠିକ୍‌ ସେହିଭଳି ଆମର ବିଚାରଧାରା ମଧ୍ୟ ବଡ଼ ହେବା ଆବଶ୍ୟକ । ଏହାକୁ ଭିତ୍ତି କରି ଆମକୁ ଆଗକୁ ବଢ଼ିବାକୁ ହେବ । ରାଜ୍ୟର ବିକାଶ ପାଇଁ ଆମେ ଗୁଣ୍ଡୁଚିମୂଷା ଭଳି ନିଷ୍ଠାର ସହ କାମ କରିବା । ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଏମିତି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ବିଜେପିର କାର୍ଯ୍ୟକର୍ତ୍ତାମାନେ ରାଜ୍ୟରେ କେବଳ ରାଜନୈତିକ ପରିବର୍ତ୍ତନ ନୁହେଁ, ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବା, ରାଜ୍ୟକୁ ଦାରିଦ୍ରରୁ ମୁକ୍ତି ଦେବା, ରୋଜଗାର ବଢ଼ାଇବା ସହ ସାମାଜିକ ଗଣମାଧ୍ୟରେ ଯୋଡ଼ି ହୋଇ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଜରୁରୀ । ଏଥିପାଇଁ କର୍ମୀମାନେ ଆଞ୍ଚଳିକସ୍ତରରେ ଲକ୍ଷାଧିକ ଲୋକଙ୍କୁ ଯୋଡ଼ି ଦଳୀୟ ସଂଗଠନକୁ ମଜବୁତ କରିବାର ଆବଶ୍ୟକତା ଅଛି ।

ଶ୍ରୀ ପ୍ରଧାନ କହିଛନ୍ତି, ବିଜେପି ଦେଶର ସବୁଠୁ ପ୍ରଭାବଶାଳୀ ଜନଆନ୍ଦୋଳନର ରୂପ ନେଇସାରିଛି ।ବିଗତ ବର୍ଷରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ିଛି । ୨୦୧୪ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦଳର ଲୋକପ୍ରିୟତା ବଢ଼ିଛି । ଆଗକୁ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ସହ ଆମକୁ ସଂଗଠନକୁ ବଳୁଆ କରିବାକୁ ହେବ ।

ସେ କହିଛନ୍ତି, କର୍ମକର୍ତ୍ତାମାନେ ଆତ୍ମସମୀକ୍ଷା କରିବା ଦରକାର । କେବଳ କ୍ଷମତା କିମ୍ବା ପଦବିରେ ବସିବା ବଦଳରେ ଆମକୁ ବଡ଼ ଲକ୍ଷ୍ୟ ନେଇ ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ମୂଳ ଲକ୍ଷ୍ୟ ହେଉ । କେବଳ ବିଧାୟକ କିମ୍ବା ସାଂସଦ ହେବାକୁ ନୁହେଁ, ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ବିଶ୍ୱର ଏକ ଆକର୍ଷଣୀୟ ଅଞ୍ଚଳ ଭାବେ ଗଢ଼ିତୋଳିବା ପାଇଁ ଆମକୁ ଦାୟିତ୍ୱ ନେବାକୁ ହେବ ।

ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ସମ୍ବେଦନଶୀଳ ନେତୃତ୍ୱ କାରଣରୁ ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ଓଡ଼ିଶାକୁ ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ଲୋଗାନକୁ ବିଜେପି ଅକ୍ଷରେ ଅକ୍ଷରେ ପାଳନ କରିଆସୁଛି । ମହାମାରୀ ସମୟରେ ଅର୍ଥନୀତି ପାଇଁ ବଡ଼ ଆହ୍ୱାନ ଛିଡ଼ା ହୋଇଛି । ଏପଟେ ଟିକାକରଣ ମଧ୍ୟ ଜରୁରୀ ହୋଇପଡ଼ିଛି । ସାଧାରଣ ପରିବାରର ଜଣେ ପୁଅ ଦେଶର ପ୍ରଧାନମନ୍ତ୍ରୀ । ଦେଶବାସୀ ତାଙ୍କୁ ପସନ୍ଦ କରୁଥିଲାବେଳେ ତାଙ୍କ ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ବିରୋଧୀ ଅପପ୍ରଚାର କରୁଛନ୍ତି । ଏହାକୁ ତୃଣମୂଳସ୍ତରରୁ କର୍ମୀମାନେ ପ୍ରତିହତ କରିବା ଜରୁରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା କରିବାକୁ ସମଗ୍ର ବିଶ୍ୱ ପାଇଁ ପ୍ରଧାନମନ୍ତ୍ରୀ ଏକ ନୂଆ ମଡେଲ ତିଆରି କରିଛନ୍ତି । ଭାରତକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ିବାର ନେତୃତ୍ୱ ମୋଦି ନେଉଛନ୍ତି । ଦେଶରେ ୩୩ କୋଟି ଲୋକଙ୍କୁ ଟିକା ଦିଆସରିଲାଣି । ସମସ୍ତଙ୍କୁ ସାଙ୍ଗରେ ନେବା, ବିକାଶ କରିବା, ବିଶ୍ୱାସ ଜିତିବା-ଏହାର ପ୍ରତୀକ ହେଉଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଆ ଲୋକଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଥିବା କାରଣରୁ ପ୍ରଧାନମନ୍ତ୍ରୀ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ଦକ୍ଷ ପ୍ରଶାସକ ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ । ଓଡ଼ିଆ ଅସ୍ମିତା ସହ ପ୍ରଧାନମନ୍ତ୍ରୀ ଯୋଡ଼ି ହୋଇ ରହିଛନ୍ତି । ଓଡ଼ିଆଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲପାଇବାକୁ ଆମକୁ ପ୍ରତି ଘରେ ପହଞ୍ଚାଇବାକୁ ହେବ । ଆମେ ସାମାଜିକ ପରିବର୍ତ୍ତନର ବାହକ ହେବାକୁ ପଡ଼ିବ । ଓଡ଼ିଆ ଜାତିକୁ ଆଗକୁ ନେବା ଓ ପ୍ରତିଷ୍ଠିତ କରାଇବାର ଦାୟିତ୍ୱ ଆମର । ଏଥିପାଇଁ ଆମକୁ ରଣନୀତି ପ୍ରସ୍ତୁତ କରିବାକୁ ହେବ ।

ଦଳୀୟ କର୍ମକର୍ତ୍ତାଙ୍କୁ ଧର୍ମେନ୍ଦ୍ର ପରାମର୍ଶ ଦେଇ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଯୋଡ଼ି ହୁଅ, ଲୋକଙ୍କ ସେବା କର । ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ନିଷ୍ଠାର ସହ କାମ କର । ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ ବିଜେପି କାମ କରିବା ଆବଶ୍ୟକ । ଏ ଦିଗରେ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Spread the love